Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପରିବାରର ବନ୍ଧନ

ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼ ।

ଗ୍ରୀଷ୍ମ ଋତୁର ପ୍ରସ୍ଥାନରେ ବର୍ଷାର ଆଗମନ, ତଥାପି କମିନଥାଏ ରୌଦ୍ରତାପ । ସୂର୍ଯ୍ୟ ବୁଲିବୁଲି ଆସି ମୁଣ୍ଡ ଉପରେ, ଚତୁଃପାଶ୍ୱରୁ ଝାଞ୍ଜି ପବନ, ସେହି ପବନରେ ଆଶା, ଆକାଂକ୍ଷା, ଲକ୍ଷ୍ୟ ସତେ ଧୂଳିସାତ ହୋଇ ବହାରିପଡୁଛି ଝାଳ ଆକାରରେ । ମୁଁ କଲେଜରୁ ଫେରୁଥାଏ, ତୃଷ୍ଣାକୁ ଏଡାଇନପାରି ବରଗଛ ତଳେ ଥିବା ପାଣି ମାଠିଆ ଆଡକୁ ଅଗ୍ରସର ହେଲି । ପାଣି ପିଇ ସେଇ ଗଛମୂଳରୁ ସାଇକେଲ ପାଖରେ ପହଞ୍ଚିବା ମଧ୍ୟରେ ମୋ ଆଖିରେ କିଛି ଦୃଶ୍ୟମାନ ହେଉନଥାଏ । ହଠାତ ମାଡିଆସିଛି କଳାମେଘ ଖେଳିଯାଇଛି.. ଅନ୍ଧକାର ସତେକି ରାତିର ଅମାବାସ୍ୟା ଦିନରେ ଉଭା । ପୂର୍ବଦିଗରୁ ମଝିରେ ମଝିରେ ଝଟକି ଉଠୁଥିଲା ବିଜୁଳି, ଲୋକେ ବ୍ୟସ୍ତତା ସହ ବିଦ୍ୟୁତ ବେଗରେ ନିଜ ନିଜର ମୋଟର ସାଇକେଲରେ ଛୁଟିଚାଲିଥାନ୍ତି । ଏପରି ଗମ୍ଭୀର ପରିସ୍ଥିତିରେ ମୁଁ ମଧ୍ୟ ସାଇକେଲର ପାଇଡଲକୁ ଦ୍ରୁତତର କରୁଥାଏ କିନ୍ତୁ ଆଗକୁ ରାସ୍ତା ଜଣାପଡୁନଥାଏ, ହଠାତ ଗୋଟିଏ ଗାଡି ମୋର ଅତି ନିକଟରୁ ଚାଲିଗଲା । ସେହି ଗାଡିର ଆଲୁଅରେ ମୋ ଆଖି ଯେଉଁ କରୁଣ ଦୃଶ୍ୟଟିଏ ଦେଖିଲା, ତାହା ମୋ ହୃଦୟକୁ ଖୁବ କଷ୍ଟ ଦେଇଥିଲା ଓ ଆଶ୍ଚର୍ଯ୍ୟ କରିଥିଲା । ପରିସ୍ଥିତି ବଡଜଟିଳ, ମୁଁ ତଥାପି ଆଗକୁ ଆଗକୁ ଅଗ୍ରସର ହେଉଥାଏ । କିନ୍ତୁ କେଉଁ ଐଶୀଶକ୍ତି କେଜାଣି ବାଧା ଦେଉଥିଲା, ଆଗକୁ ଯିବାକୁ ମନା କରୁଥିଲା । ମୋ ଅଜାଣତରେ ମୁଁ ସେହି ଅଜଣା ସ୍ଥାନରେ ଆସି ଉଭା ହେଇଯାଇଥାଏ । କିନ୍ତୁ କଳାବାଦଲର ଆଧିପତ୍ୟରେ ମୁଁ ଆବିଷ୍କାର କରିପାରୁନଥାଏ ସେଇ ଦୃଶ୍ୟକୁ ।


ପରିଶେଷରେ ମୋ ଅପେକ୍ଷାର ଅନ୍ତ ହୋଇଛି ଯେତେବେଳେ ଗୋଟିଏ ଗାଡ଼ି ଆସି ମୋ ସାମାନ୍ୟ ଆଗରେ ଛିଡା ହୋଇଛି । ଗାଡି ଆଲୁଅରେ ମୁଁ ଦେଖିଛି ଜଣେ ଲୋକ ବସି କିଛି ଅଇଁଠା ଖଲିରୁ ନିଜର ଭୋକ ନିବାରଣ କରୁଛି । ବେଶଭୂଷା କହିଲେ ଗୋଟିଏ ଜୋତା, ସାଧା ପ୍ୟାଣ୍ଟ, ଘଣ୍ଟାଟିଏ, ସାର୍ଟ ଓ ସାର୍ଟ ପକେଟରେ କଲମଟିଏ । ବେଶଭୂଷାରୁ ଯଦିବା ଗରିବ ଲାଗୁନଥିଲା ତା' ଚାହାଣି ଓ ମୁଖମଣ୍ଡଳରୁ ସ୍ପଷ୍ଟ ଜଣାପଡୁଥିଲା ତା'ର ନୀରିହତା ଓ ଦୁଖଃ ।


ମୋ ମନରେ ଦୟଭାବ ଉଙ୍କି ମାରିଲା, ମୁଁ ଜାଣିବାକୁ ଚେଷ୍ଟାକଲି ତା'ର ଅସୁବିଧାକୁ ଏବଂ ପଚାରିଲି,


"ଆପଣ କିଏ ? ଆପଣଙ୍କ ନିଜର କିଏ ଅଛନ୍ତି" ?


ସେହି ଲୋକ ମୁଖରୁ ଉତ୍ତର ଆସିଲା- " ପ୍ଲିଜ ଡୋ଼ଣ୍ଟ ଡ଼ିଷ୍ଟର୍ବ ମି" ।


ମୁଁ ଇଂରାଜୀ ଶୁଣି ଆଶ୍ଚର୍ଯ୍ୟ ହେଲି, କିନ୍ତୁ ପୁଣିଥରେ ପ୍ରଶ୍ନ କରୁକରୁ-ଆପଣଙ୍କ ନିଜର.... ।


ଉତ୍ତର ଆସିଲା-


ପ୍ଲିଜ... ଲିଭ ମି ଏଲୋନ...। (ରାଗି)


ମୁଁ ନିରୁପାୟ ହୋଇ ସେଇ କଳାମେଘକୁ ଅନାଇ ଚାହିଁଥାଏ, ହଠାତ କିଛି ଶୁଣାଗଲା - କଣ କୁନି ଟପର ହେଲା ? (ତା'ପାଟିରୁ) ହେ ଭଗବାନ ତୁ ସତ, ସତ, ଆଇ ଆମ ସରି । ମୁଁ ନିର୍ବାକ ! ହଠାତ ଜୋରରେ ବର୍ଷା ଆରମ୍ଭ ହୋଇଛି ଏବଂ ଆଉ ଜଣେ ଲୋକ ଲୁଚିବା ପାଇଁ ଆସିଛନ୍ତି ।


ନୀରିହ ଲୋକ ମୁହଁରୁ ବାହାରିଛି - ରାମୁ କାକା ! ମୋ ସାନ ମା କୁନି ଟପର ହୋଇଛି । (ଖୁସିରେ)


ମୁଁ ସେହି ଲୋକଙ୍କଠାରୁ ନୀରିହ ଲୋକ ବିଷୟରେ ନାନିବାକୁ ଚେଷ୍ଟା କଲି । ସେ କହିଲେ - "ସେ ଜଣେ ଶିକ୍ଷକ ପୁଣି ଓଡ଼ିଆ ସାହିତ୍ୟ ଏକାଡେମୀର ସଦସ୍ୟ । ତାଙ୍କର ୨ଝିଅ ରାନୀ ଓ କୁନି, ଗୋଟିଏ ପୁଅ ବଣ୍ଟି ।ତାଙ୍କର ଦରମା ପାଞ୍ଚମାସ ମିଳିନଥିଲା କୁନିର ଦଶମ ଶ୍ରେଣୀରେ ଫର୍ମପୂରଣ ଦିନ ଶେଷଥିଲା, ତାଙ୍କ ସ୍ତ୍ରୀ ଧାର କରିବାକୁ କହୁଥିଲେ ସେ ରାଜି ନଥିଲେ ପୁଣି ବାବୁ ଘରୋଇ କଳିକାଜିଆ କଣକହିବି ? ସ୍ତ୍ରୀ ବାପଘରକୁ ଚାଲିଗଲେ । ସେ ଏବେ ପାଗଳ ।


ସେ ନୀରିହ ଜଣକ ବୋଧେ କିଛି ଶୁଣିପାଇଲା ଆଉ କହି ଚାଲୁଥାଏ, ସତେ କି ଭଗବାନଙ୍କ ନାମ ନେଲା ପରି - ମୋ କୁନି ଟପର, ମୋ ବଡ଼ ମା ଡାକ୍ତର ହେଲାଣି, ମୋ କୁନି, ମୋ ରାନି..... ପୁଣି ମୋ ରାଧିକା ଫେରିଆସିଛି....... ଏପରି ଅନେକ ଅନେକ । ତାହା ପୁଣି ସେ ଆନନ୍ଦରେ ବିଭୋର ହୋଇ ସତେକି ପାରିଜାତ ଫୁଲ ପାଇଲା ପରି । ମୁଁ ବାଧ୍ୟହୋଇ ଫିସ ପାଇଁ ଆଣିଥିବା ୧୫୦ ଟଙ୍କା ତାଙ୍କୁ ଦେଇଦେଲି, ତାଙ୍କ ଅନିଚ୍ଛା ସତ୍ତ୍ୱେ ।


ପୁଣି ଭାବୁଥାଏ ଜଣେ ଶିକ୍ଷକ ତାଙ୍କ ଚାକିରୀର ଚିନ୍ତା ନାହିଁ, ନା ନିଜର ସ୍ଥିତି ଉପରେ ଚିନ୍ତା ନାହିଁ, ନା ଚିନ୍ତା ଅଛି ତାଙ୍କ ହଜିଯାଇଥିବା ଅଭିଜାତ୍ୟର, ନା ଚିନ୍ତା ଅଛି ନିଜ ଖାଦ୍ୟପେୟ ବେଶଭୂଷାର । ପାଗଳ ହୋଇଥିବା ସତ୍ୟେ ପରିବାରର ଚିନ୍ତା । ଉକ୍ତ ପରିସ୍ଥିତିର ମୁକାବିଲା କରୁକରୁ ବର୍ଷା ଫେରିଯାଇଥାଏ ।ମୁଁ ଫେରିବା ପାଇଁ ଉଦ୍ୟତ ହେଉ ହେଉ ଭାବୁଥାଏ ।


ଆଃ ! କି ବନ୍ଧନ ଏଇ ପରିବାରର.....

Post a Comment

0 Comments