Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମ-ଧର୍ମ-ଦର୍ଶନ - ଡକ୍ଟର ଲକ୍ଷ୍ମଣ ସାହୁ

ଡକ୍ଟର ଲକ୍ଷ୍ମଣ ସାହୁ, ଅଧ୍ୟାପକ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ଧର୍ମ ପ୍ରତ୍ୟେକର ପ୍ରାଣ ସୂରୂପ । ପ୍ରାଣର କାର୍ଯ୍ୟ ଧାରଣ କରି ରଖିବା ଓ ତାର ବିକଶିତ କରିବା ଧର୍ମର ସୂରୂପ । ପ୍ରାଣର ଅଭାବରେ ବା ପ୍ରାଣଶକ୍ତି ଦୃର୍ବଳ ହୋଇପଡିଲେ ପ୍ରାଣ ପ୍ରତି ଥିବା ପରସ୍ପର ଆକର୍ଷଣ ନଷ୍ଟ ହୋଇଯାଏ, ସମଷ୍ଟିଗତ ଐକ୍ୟ ଛିନ୍ନଭିନ୍ନ ହୋଇଯାଏ । ଅବକ୍ଷୟ ସମଷ୍ଟିର ବିଶେଷ ଉଚ୍ଛେଦର ଅଗ୍ରସର ହେବା, ବିଶେଷ ସତ୍ୟ ପଦାର୍ଥ ରୂପରେ ଏହାର ବିକାଶ ସମ୍ଭବ ହୋଇପାରେନା, ବସ୍ତୁତଃ ଧର୍ମର ମଧ୍ୟ କାର୍ଯ୍ୟ ରହିଛି । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମହାଭାରତରେ ଧର୍ମର ସୂରୂପ ଦର୍ଶାଇଛନ୍ତି,


"ଧାରଣାତ୍ ଧର୍ମ ଇତ୍ୟାହୁର୍ଧ ର୍ମୋ ଧାରୟତେ ପ୍ରଜାଃ,
ଯତ୍ ସ୍ୟାତ୍ ଧାରଣ ସଂଯୁକ୍ତଃ ସ ତୁ ଧର୍ମ ଇତି ସ୍ମୃତଃ" ।


ପ୍ରଜା ମାନଙ୍କୁ ସୃଷ୍ଟିର ସକଳ ପ୍ରାଣୀମାନଙ୍କୁ ଯେ ଧାରଣ କରି ରହେ, ତାକୁ ଧର୍ମ କହନ୍ତି । ଏହି ଧାରଣକରି ରଖିବାର ଶକ୍ତି ଯେଉଁଠି ବିଦ୍ୟମାନ ହୁଏ, ବୁଝାଯାଏ ଯେ ସେଠାରେ ଧର୍ମ ବିଦ୍ୟମାନ ରହିଛି । ଧାରଣଶକ୍ତିର ଯେତେ ଅଭାବ ଘଟେ, ପ୍ରଜାମାନଙ୍କ ମଧ୍ୟରେ ସେତେ ମତଭେଦ, ପରସ୍ପର ଭିତରେ ସେତେସେତେ ସଂଘର୍ଷ, ବିଚ୍ଛିନ୍ନତାର ପ୍ରବୃର୍ତ୍ତି ସେତେ ଅଧିକ ଦେଖାଦିଏ, ଫଳରେ ଧର୍ମର ଗ୍ଳାନି ଘଟି ଅଧର୍ମର ଅଭ୍ୟୁଥାନ ଘଟେ, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି,


"ପ୍ରଭବାର୍ଥାୟ ଭୂତାଣୀ ଧର୍ମପ୍ରବଚନଂ କୃତମ୍,
ଯସ୍ୟାପ୍ତ୍ରଭବସଂଯୁକ୍ତଂ ସ ଧର୍ମ ଇତି କଥୟତେ ।
ଅହିଂସାର୍ଥାୟ ଭୂତାନାଂ ଧର୍ମପ୍ରବଚନଂ କୃତମ୍,
ଯସ୍ୟାଦଅହିଂସାସଂଯୁକ୍ତଂ ସ ଧର୍ମ ଇତି କଥୟତେ" ।


ପ୍ରାଣୀମାନଙ୍କ ପ୍ରଭାବପାଇଁ ଧର୍ମର ଉତ୍ପର୍ତ୍ତି, ସ୍ଥିତି, ବୁଦ୍ଧି ଓ ଉତ୍କର୍ଷ ବିଧାନର ଉଦ୍ଦେଶ୍ୟ ଅଟେ । ବେଦାଦି, ସାଖ୍ୟଂରେ ଧର୍ମ ଅନୁଶୀଳନର ଉପଦେଶ ଦିଆଯାଇଛି । ଏ ଉଦ୍ଦେଶ୍ୟ ସାଧନା ଦ୍ୱାରା ବୂଝିବାକୁ ହେବଯେ, ଧର୍ମାନୁଷ୍ଠାନ ଠିକ୍ ଭାବେ ରହିଛି ନା ନାହିଁ । ପ୍ରାଣୀମାନଂକ ପ୍ରଭାବରେ ମୂଳ ଅହିଂସା ଓ ଏହାର ବିନାଶର ମାର୍ଗ ପରସ୍ପର ହିଂସା ପ୍ରବୃର୍ତ୍ତିର ପ୍ରାଧାନ୍ୟ । ବିଭିନ୍ନ ପ୍ରାଣୀମାନଂକ ଭିତରେ ହିଂସାର ଭାବ, ପ୍ରତିଯୋଗିତା, ପ୍ରତିଦ୍ୱନ୍ଦିତା ଓ ସଂଘର୍ଷ ଭାବ ଆଦିର ସ୍ୱଭାବ ସେମାନଂକ ଭିତରେ ଲୁଚିରହିଛି । ଏଭଳି ହିଂସାକୁ ପାଥେୟ କରି ଜୀବନ ସଂଗ୍ରାମରେ ଏହା ମଣିଷର ପ୍ରବୃର୍ତ୍ତି ପାଲଟେ ଓ ହିଂସାଶକ୍ତିର ବିକାଶ ଘଟାଏ, କିନ୍ତୁ ହିଂସା ପରିଣାମରେ ନିଜର ଉଦ୍ଦେଶ୍ୟ ସଫଳ ହୋଇପାରେ ନାହିଁ । କେବଳ ଜୀବିତ ରହିବା ଓ ଜୀବନକୁ ଊତ୍କର୍ଷ କରିବା ପାଇଁ ହିଂସାରେ ପ୍ରବୃତ୍ତ ହୋଇଥାଏ, କିନ୍ତୁ ହିଂସା ହିଁ ତାର ବିନାଶର କାରଣ ପାଲଟେ । ଜୀବର ଉତ୍ପର୍ତ୍ତି, ସ୍ଥିତି, ବୃଦ୍ଧି ଓ ଉତ୍କର୍ଷ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଜୀବସହ ଜୀବର ସହଯୋଗ ଆବଶ୍ୟକ ହୋଇଥାଏ ଓ ସେଥିପାଇଁ ପ୍ରେମର ସଂଯୋଗ ଦରକାର ହୁଏ । କିନ୍ତୁ ହିଂସା ଏହି ପ୍ରେମ ଓ ସହଯୋଗକୁ ପରାହତ କରି ଜୀବର ସ୍ୱାର୍ଥ ସିଦ୍ଧିର ପ୍ରେରଣା ଦିଏ ଓ କାର୍ଯ୍ୟତଃ ଏହାର ସର୍ବନାଶ ଘଟାଏ । ଏହି ପ୍ରତିକୂଳ ଅବସ୍ଥା, ସ୍ୱାଭାବିକ ହିଂସା ପ୍ରବୃର୍ତ୍ତିର ଅଭିରୁଚି ସାଧନ କରିବା ପାଇଁ, ଅର୍ଥାତ୍ ଏହାକୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଧର୍ମ ବିଧାନର ସୃଷ୍ଟି, ଯାହା ଜୀବନ ଉପରେ ଅହିଂସାର ଆଦର୍ଶର ପ୍ରଭାବ ଯେତେ ଅଧିକ ହୁଏ ଓ ଜୀବର କର୍ମପଦ୍ଧତିକୁ ଯେତେ ନିୟମିତ କରେ, ତାହା ସେତିକି ସୁଦୃଡ ଭିର୍ତ୍ତିରେ ଜୀବନର ବିକାଶ ଘଟାଏ । ଏହା ହେଉଛି ଜୀବ-ଜୀବର ସ୍ୱାର୍ଥର ସାମଞ୍ଜସ୍ୟ । ପ୍ରେମର ଆଦାନ ପ୍ରଦାନ ଭିତରେ ସହଯୋଗିତା ଏତେ ସ୍ୱାଭାବିକ ଜୀବନ-ଧାରା ରୃପେ ପ୍ରବାହିତ ହୋଇଥାଏ, ତେଣୁ ଏଥିରୁ ବୁଝିବାକୁ ହେବଯେ ଧର୍ମହିଁ ଏହାକୁ ଜାଗ୍ରତ ଓ ଜୀବନ୍ତ କରିଥାଏ ।


ଜୀବ ଜଗତରେ ପ୍ରେମର ବିକାଶ ବସ୍ତୁତଃ ନିର୍ଭର କରେ ଧର୍ମ ଉପରେ । ଏପରିକି ପ୍ରେମର ବିକାଶ ଉପରେ ଜୀବନର ବିକାଶ ନିର୍ଭର କରେ । ପ୍ରେମହିଁ ଜୀବଜଗତକୁ ଧାରଣ କରି ରଖେ, ତେଣୁ ପ୍ରେମ ହେଉଛି ପ୍ରାଣଶକ୍ତି । ପ୍ରେମଶକ୍ତି ଓ ହିଂସାଶକ୍ତି ମଧ୍ୟରେ ଅନବରତ ସଂଗ୍ରାମହିଁ ଜୀବ ଜଗତର ଇତିହାସ ଅଟେ । ଏହା କେବେ ଅଯୁକ୍ତିକର ନୁହେଁ । ପ୍ରେମଶକ୍ତି ଚାହେଁ ଜୀବନର ମାର୍ଗ, ଅମୃତର ମାର୍ଗ, ପୂର୍ଣ୍ଣତାର ମାର୍ଗ ଓ ଆନନ୍ଦର ମାର୍ଗ । କିନ୍ତୁ ହିଂସାଶକ୍ତି ଚାହେଁ ବିନାଶର ମାର୍ଗ, ମୃତ୍ୟୁର ମାର୍ଗ, ବ୍ୟର୍ଥତା, ନିରାନନ୍ଦର ମାର୍ଗ, ଅନ୍ଧକାରର ମାର୍ଗ । ହିଂସାଶକ୍ତି ଚାହେଁ ଜୀବ-ଜୀବ ମଧ୍ୟରେ ଥିବା ପ୍ରେମ ଆକର୍ଷଣକୁ ବିଚ୍ଛିନ୍ନ କରି ଏ ଜଗତକୁ ଅଶାନ୍ତିରେ ଭରିଦେବା । କିନ୍ତୁ ପ୍ରେମଶକ୍ତି ସମସ୍ତଙ୍କୁ ପରସ୍ପର ମଧ୍ୟରେ ବାନ୍ଧି ରଖି ଶାନ୍ତିଶୃଙ୍ଖଳା ସୌନ୍ଦର୍ଯ୍ୟମୟ, ଅମୃତମୟ ବିଶ୍ୱ ସର୍ଜନା କରିବା । ପ୍ରେମହିଁ ଧର୍ମ ଓ ହିଂସାହିଁ ଅଧର୍ମ । ଭଗବାନ ଶ୍ରୀକୃଷ୍ଣ ଏହି ବାର୍ତ୍ତା ନିଦ୍ଦେର୍ଶ କରିଛନ୍ତି, ମାନବ ଜଗତରେ ହିଂସାଶକ୍ତିକୁ ବିନାଶ କରି ପ୍ରେମ ଭାବ ପ୍ରତିଷ୍ଠା କରିବା ହେଉଛି ଯଥାର୍ଥ ଧର୍ମ । ଏକଥା ବେଦ, ସାଂଖ୍ୟ ଆଦି ଶାସ୍ତ୍ର ମାନଙ୍କରେ କୁହାଯାଇଛି ।


ଦୈହିକ ଜୀବନରେ ନିଜ ଆହାର, ବିହାର, ନିଦ୍ରା, ମୈଥୁନ, ବ୍ୟାୟାମ, ବିଶ୍ରାମ ଆଦି ସ୍ୱଇଚ୍ଛାରେ ନିୟନ୍ତ୍ରଣ କରିବା, ନିଜର ବିଭିନ୍ନ ଅଂଗପ୍ରତ୍ୟଙ୍ଗକୁ ଶକ୍ତିରେ ସାମ୍ୟ, ଶୃଙ୍ଗଳା, ସ୍ୱଚ୍ଛନ୍ଦ ଭାବ ରଖିବା, ଅନ୍ୟ ଅର୍ଥରେ ପ୍ରେମର ସମ୍ବନ୍ଧ ରଖି ଧର୍ମାଚରଣରେ ସାମିଲ୍ ହେବା, ଯାହା ଶରୀର ଧର୍ମ ପାଲଟେ । ଯେଊଁ ଅବସ୍ଥାରେ ମନୁଷ୍ୟ ଆହାରାଦି ନିୟନ୍ତ୍ରଣ କରି, ନୀତିକୁ ଅବଲମ୍ବନ କରେ, ତାହା ଯଥାର୍ଥ ଧର୍ମନୀତି ନୁହେଁ, କାରଣ ପରୀକ୍ଷା କରି ଦେଖାଯାଇଛି ଯେ, ସଂପୂର୍ଣ୍ଣ ଶରୀରରେ ଏକ ପ୍ରେମର ଭାବ ସଂଚାରିତ ହେଉଛି କି ନାହିଁ, ଏହା ମଧ୍ୟ ଶରୀର ଧାରଣ, ପୋଷଣ ଓ ବିକାଶର ଅନୁକୂଳ କି ନୁହେଁ, ଯଦି ଏହା ନୁହେଁ, ତେବେ ଏହା ଧର୍ମ ହାନିର ପରିଚୟ ହୋଇଥାଏ । ତେଣୁ ଏପ୍ରକାର ପାରିବାରିକ ଜୀବନରେ ଧର୍ମାନୁକୁଳକୁ ରୀତି-ନୀତି ଓ ଆଦର୍ଶ ଦ୍ୱାରା ଏହାର ବ୍ୟବହାରରେ ନିୟନ୍ତ୍ରଣର ଆବଶ୍ୟକ ରହିଛି, ଯାହାକୁ କୁଳଧର୍ମ କୁହାଯାଏ । ପରିବାରର ଅନ୍ତର୍ଭୃକ୍ତ ନର-ନାରୀ, ଶିଶୁ, ଯୁବା, ବୃଦ୍ଧ, ଆତ୍ମୀୟ ସ୍ୱଜନ ପରିଜନ ସକଳଙ୍କୁ ପ୍ରେମର ବନ୍ଧନରେ ବାନ୍ଧି ରଖିବା, ଏପରିକି ପ୍ରତ୍ୟେକ ନିଜ ନିଜର ପ୍ରୟୋଜନର ଅଙ୍ଗୀଭୂତ ରୂପେ ବାକି ଲୋକଙ୍କ ପ୍ରୟୋଜନକୁ ଅନୁଭବ କରିବା, ଏହି ଲକ୍ଷ୍ୟ ନେଇ ପାରିବାରିକ ରୀତି ନୀତିକୁ ଓ ତଦାନୁର୍ଭୁକ୍ତ ବ୍ୟକ୍ତିମାନଙ୍କ ମନୋବୃତ୍ତି ଆଚାର ବ୍ୟବହାରର ଧର୍ମାନୁକୁଳର ପରୀକ୍ଷା କରେ । ଯେଉଁ ପରିବାରର ପ୍ରତ୍ୟେକ ବ୍ୟକ୍ତି, ଉଭୟ ପୁରୁଷ ଓ ନାରୀ ନିଜର ସ୍ୱାର୍ଥକୁ ଅନ୍ୟର ସ୍ୱାର୍ଥରେ ଭିନ୍ନଭିନ୍ନ ଭାବେ ବୁଝେ ଉତ୍ସର୍ଗ କରେ, ଯେଉଁଠି ଜଣକର ଉନ୍ନତିକୁ ସମସ୍ତେ ସମାନ ଭାବେ ଦେଖନ୍ତି, ପ୍ରତ୍ୟେକ ସୁଖ-ଦୁଃଖକୁ ସମଭାବରେ ବାଣ୍ଟନ୍ତି, ଯେଉଁ ପରିବାରରୁ ହିଂସା, ଦ୍ୱେଷ, କପଟ, ବିବାଦ, ଗୋପନୀୟତା, ବାଦବିସଂବାଦ ନଥାଏ, ସେହି ପରିବାରରେ ଧର୍ମର ବାତାବରଣ ସ୍ପଷ୍ଟ ହୋଇଯାଏ । ଯେଉଁ ପରିବାରକୁ ଶାସ୍ତ୍ର ବାହାର ଚର୍ଚ୍ଚା ଭଲ ଲାଗେ, ଯଦି ସେହି ପରିବାର ନାନା ପ୍ରକାର ଶାସ୍ତ୍ରୀୟ କ୍ରିୟାକାଣ୍ତ ବାହାରେ କାର୍ଯ୍ୟ କରେ, ଏପରିକି କୁଳ କ୍ରମାଗତ ଆଚାର ବ୍ୟବହାର ପରିପାଟୀ ଠାରୁ ଯଦି ଦୂରେଇ ଯାଏ, ଫଳତଃ ସେହି ପରିବାରରେ ପ୍ରେମ ବନ୍ଧନରେ ଶିଥିଳତା ଘଟି ବ୍ୟକ୍ତି ଜୀବନ ପ୍ରାଣ ଶୂନ୍ୟ ପାଲଟେ ଓ ଧର୍ମଭାବ ଅନ୍ତର୍ହିତ ହୋଇ ପରିବାରକୁ ଧୀରେ ଧୀରେ ଧ୍ଵଂସ ଆଡକୁ ଆଗେଇ ନିଏ ।


ସମାଜ ଭିତରେ ଧର୍ମ ଜୀବନ୍ତ ରୂପ ଧାରଣ କରେ । ଅନେକ ବ୍ୟକ୍ତି ତଥା ପରିବାରକୁ ନେଇ ସମାଜ ଗଠିତ । ବ୍ୟକ୍ତି ଓ ପରିବାରରେ ନିର୍ମଳ ପ୍ରେମର ଧାରା ପ୍ରବାହିତ ହୁଏ । ପ୍ରତ୍ୟେକ ବ୍ୟକ୍ତି ପ୍ରେମର ଆକର୍ଷଣରେ ଅନ୍ୟର ସୁଖ, ଦୁଃଖ, ସଂପତ୍ତି, ବିପତ୍ତି, ଭଲ, ମନ୍ଦକୁ ନିଜର ଭାବି ପରସ୍ପରକୁ ସହାୟତା ଓ ସହଯୋଗ କରନ୍ତି । ଯଦି ଇର୍ଷା, ଘୃଣା, ବିଦ୍ୱେଷ, ବିରୋଧ ଭାବ ଧର୍ମରେ ପ୍ରତିକୂଳ ମନୋବୃତ୍ତି ଦେଖାଦିଅନ୍ତା, ତେବେ ଧର୍ମାଦର୍ଶର ଅନୁପ୍ରାଣତା ସହଜରେ ବିନଷ୍ଟ ହୋଇଯାନ୍ତା । ତେଣୁ ବୁଝିବାକୁ ହେବ ଯେ ପ୍ରେମ ଓ ଧର୍ମ କ୍ରିୟାଶୀଳ ।


ସମାଜ ଭିତରେ ବିଜ୍ଞାନ ଦର୍ଶନର ପ୍ରଚାର, ଜଟିଳ କ୍ରିୟାକାଣ୍ତର ପ୍ରସାର, ଆଚାର ନିଷ୍ଠାର କଠୋରତା, ପୂର୍ବ ପୁରୁଷଙ୍କ ପୁଣ୍ୟାନୁଷ୍ଠାନର ଗୌରବଗାଥା ଆଦି ଯେତେସବୁ, ସେସବୁ ମଧ୍ୟରେ ଯଦି ପ୍ରେମର ସ୍ୱଚ୍ଛନ୍ଦ ପ୍ରବାହ ନରହେ, ନର-ନାରୀଙ୍କ ଭିତରେ ହୃଦୟର ମିଳନ ନରହେ, ବସ୍ତୁତଃ ଧର୍ମର ଗ୍ଲାନି ଓ ଅଧର୍ମର ପ୍ରାଦୃର୍ଭାବ ଦେଖା ଦିଅନ୍ତା । ପ୍ରତ୍ୟେକ ବ୍ୟକ୍ତି ସମାଜରେ ଅଙ୍ଗୀଭୂତ ହୋଇ ଜନ୍ମ ଲାଭ କରିଛି । ସମାଜର ସେବା କରି ସେ ଜୀବିତ ହୋଇ ରହେ । ସମାଜର ପ୍ରାଣ ହିଁ ପ୍ରତ୍ୟେକଙ୍କ ହୃଦୟରେ ଅନୁପ୍ରବିଷ୍ଟ ହୋଇ ଏକ ବିଶିଷ୍ଟ ରୂପ ପରିଗ୍ରହଣ କରିଛି । ସମାଜର ଅସ୍ତିତ୍ୱ ବିନା କୌଣସି ବ୍ୟକ୍ତିର ଅସ୍ତିତ୍ୱ ନାହିଁ । ଏଣୁ ସମାଜ ଓ ବ୍ୟକ୍ତି ପରସ୍ପର ପରିପୂରକ ଉପଲବ୍ଧି କରିହୁଏ । ବ୍ୟକ୍ତି ଭିତରେ ବିକଶିତ କର୍ମଶକ୍ତି ଓ ଜ୍ଞାନଶକ୍ତିକୁ ସ୍ୱଚ୍ଛରେ ଓ ପ୍ରେମରେ ସମାଜର କଲ୍ୟାଣ ସାଧନରେ ବିନିଯୋଗ କରିବାହିଁ ବ୍ୟକ୍ତିର ଧର୍ମ ସାଧନା ଅଟେ । ସମାଜରେ ଧର୍ମର ଅଭ୍ୟୂଦୋୟ ଘଟେ ଓ ବ୍ୟକ୍ତିର ବ୍ୟକ୍ତିଗତ ଜୀବନ ମଧ୍ୟ ସମ୍ୟକ୍ ପୁରୁଷାର୍ଥ ପଥରେ ଆଗେଇ ଯାଏ ।


ସମାଜରେ ଶାସ୍ତ୍ର ବିହିତ ମହାପୁରୁଷ ତଥା ପ୍ରବର୍ତ୍ତିତ ଆଚାର୍ଯ୍ୟବୃନ୍ଦଙ୍କ ନିର୍ଦ୍ଦେଶିତ ଯେଉଁ ରୀତି ନୀତି ଓ ଆଚାର ଅନୁଷ୍ଠାନ ପ୍ରଚଳିତ, ଏସବୁର ଲକ୍ଷ୍ୟହିଁ ସମାଜ ସଂଗରେ ବ୍ୟକ୍ତିକୁ ଏକତାର ପଥ ଦର୍ଶାଇଥାଏ । ସମାଜ ପ୍ରାଣର ଅନୁଭୂତି ସଂଗରେ ବ୍ୟକ୍ତି ପ୍ରାଣର ଅନୁଭୂତିକୁ ମିଳନ କରେ ଓ ଏହି ଭାବନାର ଜାଗୃତି ସମାଜ ସେବାରେ ଆତ୍ମୋତ୍ସର୍ଗ କରି ଦେବାହିଁ ବ୍ୟକ୍ତି ଜୀବନକୁ ସାର୍ଥକ କରେ । ବ୍ୟକ୍ତି ଯେପର୍ଯ୍ୟନ୍ତ ସମାଜକୁ ପୃଥକ ବୋଲି ଭାବି ନେଇଥାଏ, ଓ ସମାଜର ଅନ୍ୟ ବ୍ୟକ୍ତିର ସ୍ୱାର୍ଥରେ ଭିନ୍ନ ଅନୁଭବ କରିବାହିଁ ତାର ଦେହାତ୍ମବୋଧ ସଂକୀର୍ଣ୍ଣ ପାଲଟେ । ତାର ଏ କ୍ଷୁଦ୍ର ମନୋଭାବ ଦେହେନ୍ଦ୍ରିୟ ପରତା ଅଟେ । ବ୍ୟକ୍ତି କେବଳ ମୃତ୍ୟୁକୁ ଅମୃତ ଭାବି ଆବାହନ କରିଥାଏ । ନିଜ ଭିତରେ ସମାଜ ପ୍ରାଣକୁ ଉପଲବ୍ଧ କରିବା, ସମାଜ ସେବାରେ ନିଜର ଦେହେନ୍ଦ୍ରିୟ ସଂକୀର୍ଣ୍ଣତା, ସୁଖ ସମ୍ଭୋଗକୁ ବିସର୍ଜନ କରିପାରିଲେ କ୍ଷୁଦ୍ର ଦେହାତ୍ମବୋଧ ନିଡ ସହ ଶୀଥିଳ ହୋଇଯାଏ । ଦେହେନ୍ଦ୍ରିୟଗତ କାମନା, ବାସନାର ଆକ୍ରମଣରୁ ମଧ୍ୟ ଅବ୍ୟାହତ ମିଳେ । ମୁକ୍ତିର ଦ୍ୱାର ସହଜ ଓ ଉନ୍ମୁକ୍ତ ହୋଇଯାଏ । ମୃତ୍ୟୁମୟ ଆବେଷ୍ଠନୀ ଭିତରେ ମଧ୍ୟ ଅମୃତର ମାର୍ଗ ପ୍ରସସ୍ତ ଓ ବାଧାବିହୀନ ହୋଇଯାଏ । ଏପ୍ରକାର ଦୃଷ୍ଟି ଯେତେ ପରିସ୍କାର ଶୋଦ୍ଧିତ ପ୍ରସସ୍ତ ହୁଏ, କ୍ଷୁଦ୍ର ଅଂହକାର, ଅହମିକା ସୀମାଭିତରୁ ଯେତେ ମୁକ୍ତି ଲାଭ କରେ, ନିଜର ହୃଦୟକୁ ଯେତେ ବିଶାଳ ରୂପରେ କରାଯିବ, ସମାଜର ପରିଧି ମଧ୍ୟ ସେତିକି ବୃହତ୍ତର ହୋଇପାରିବ । ଏ ବିଶାଳତର ସମାଜ ଭିତରେ ଏକ ପ୍ରାଣହିଁ ଉପଲବ୍ଧ କରି ପାରିଲେ, ସମାଜ ସଂଗରେ ବ୍ୟକ୍ତିର ସମସ୍ତ ବୁଦ୍ଧି ନିହିତ ହୋଇଯାଏ ।


ହୃଦୟରେ ଥରେ ସଂପୂର୍ଣ୍ଣ ପ୍ରାଣୀ ଜଗତକୁ ନିଜର ସମାଜ ରୂପେ ଅନୁଭବ କଲେ, ବିଶ୍ୱ ଜୀବର ସେବାରେ ହିଁ ଆତ୍ମ ସେବା ଅନୁଭବ କରିପାରିବା । ବିଶ୍ୱପ୍ରାଣ ସହ ନିଜ ପ୍ରାଣକୁ ମିଶାଇଲେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ସମାଜ, ଜାତି ଭିତରେ ବିଶ୍ୱ ପ୍ରାଣତାର ବିଚିତ୍ର ଭାବ ତରଙ୍ଗ ଉପଲବ୍ଧ କରି ହୁଏ । ସର୍ବତ୍ର ପ୍ରେମର ଭାବ ସଂଚାର ହୁଏ, ବିଶ୍ୱ ଜଗତ ଭିତରେ ଅବିରତ ପ୍ରେମର ପ୍ରବାହ ଅନୁଭୂତ ହୁଏ ଓ ହୃଦୟ ଭିତରେ ଏହି ପ୍ରେମର ନିର୍ଝର ଅହରହ ବହିଚାଲେ, ଫଳରେ ବିଶ୍ୱ ପ୍ରେମ ଧର୍ମରେ ପରିପୂର୍ଣ୍ଣ ହୋଇଯାଏ ।


ଜୀବ ଜଗତରେ ସମସ୍ତ ପ୍ରାଣୀମାନଂକ ସହ ଏ ମଣିଷ ସମାନ ଭେଦ, ପାର୍ଥକ୍ୟ ବହୁଳ ପ୍ରାକୃତିକ ଜଗତରେ ଜନ୍ମ ଲାଭ କରିଛି ଭେଦ, ପ୍ରଭେଦ, ପାର୍ଥକ୍ୟର ଅନୁଭୂତି ନେଇ । କିନ୍ତୁ ସେ ନିଡର ସାଧନା ଦ୍ୱାରା ସବୁ ପ୍ରକାର ଭେଦ, ପ୍ରଭେଦ, ପାର୍ଥକ୍ୟ, ତାରତମ୍ୟକୁ ପ୍ରତିହତ କରି ଶାନ୍ତିମୟ ଅଭେଦ ରାଜ୍ୟରେ ନିଜକୁ ପ୍ରତିଷ୍ଠା କରିବାର ଅଧିକାଳ ଲାଭ କରିଛି । ଭେଦରୁ ଅଭେଦ ବୁଝିବା ତାର ଧର୍ମ । ଜ୍ଞାନରେ ଅଭେଦ ଦର୍ଶନ, ପ୍ରେମରେ ଅଭେଦାନୁଭୂତି, କର୍ମରେ ଅଭେଦ ନିଷ୍ଠା ; ଏହାହିଁ ତାର ଧର୍ମାନୁଶୀଳନର ଆଦର୍ଶ । ବିଚାର ବୁଦ୍ଧିର ବିକାଶ ସାଧନ ଦ୍ୱାରା, ସେ ସବୁ ପ୍ରକାର ଭେଦକୁ ଭୂଲି ଅଦ୍ୱିତୀୟ ସଚ୍ଚିଦାନନ୍ଦ ପରମତତ୍ତ୍ୱକୁ ଉପଲବ୍ଧି କରେ । ଏହି ଉପଲବ୍ଧିର ସାଧନ ଦ୍ୱାରା ବିଭିନ୍ନ ଦର୍ଶନଶାସ୍ତ୍ର ଓ ମତବାଦର ଆବିର୍ଭାବ ଘଟେ ।


ଯେ ଦାର୍ଶନିକ ମତବାଦ ଦେଇ ଝଗଡା, ଯୁକ୍ତି କରିବାକୁ ପ୍ରବୃତ୍ତ ହୁଏ, ସଂକୀର୍ଣ୍ଣ ବିଦ୍ୱେଷ ଭାବ ନେଇ ଅନୁଶୀଳନ କରେ, ସେ କେବେ ବି ଧର୍ମ ପ୍ରେମୀ ହୋଇପାରେ ନାହିଁ । ପରନ୍ତୁ ତା ପାଇଁ ଜ୍ଞାନରେ ଅଭେଦ ଭୂମିର ପ୍ରାପ୍ତି ସମ୍ଭବ ହୁଏ ନାହିଁ । ଜ୍ଞାନରେ ଅଭେଦ ଉପଲବ୍ଧି ହେଡାପରେ ସମସ୍ତ ଜୀବନ ପ୍ରେମମୟ ହୋଇଯାଏ । ସର୍ବତ୍ର ଆତ୍ମାନୁଭୂତି ହେବାର କାରଣ ଆତ୍ମାର ବିଚିତ୍ର ବିଳାସରୂପ ପ୍ରତ୍ୟେକ ବ୍ୟକ୍ତିକୁ ହିଁ ପ୍ରିୟତା ବୋଧରେ ପ୍ରତିଷ୍ଠିତ କରିଥାଏ । ସେ ଯାହାକୁ ଦେଖେ କୁହେ "ତତ୍ରମସି", ଏହାରି ଭିତରେ ସେ "ସତ୍ୟଂ ଶିବଂ ସୁନ୍ଦରମ୍" ଙ୍କୁ ଦେଖିଥାଏ । ତାଙ୍କୁ ସେ ହୃଦୟରେ ପ୍ରେମ କରି ବସେ । ସର୍ବତ୍ର ରସ ସୂରୂପ ଏକ ବିଶାଳ ଦର୍ଶନରେ ସବୁ ରସପୂର୍ଣ୍ଣ, ସୁନ୍ଦର, ଆରାଧ୍ୟ ପାଲଟିଯାଏ । ସମସ୍ତ କର୍ମ ଏକ ସେବା ପ୍ରେମ ଧର୍ମରେ ପରିଣତ ହୋଇଯାଏ । ତାର ସେବା ବାସେ ମହକି ଉଠେ । ତାର ସମସ୍ତ କର୍ମ ବିଭିନ୍ନ ଉଦ୍ଦେଶ୍ୟ ରହିତ ନ ହୋଇ ଶେଷରେ ରସ ସୂରୂପ, ଲୀଳା ବିଳାସରେ ଅଙ୍ଗୀଭୂତ ହୋଇ ବିକ୍ଷିପ୍ତହୀନ ବିଳାସ, ଆନନ୍ଦ, ସମ୍ଭୋଗରେ ପରିଣତ ହୁଏ । ଫଳତଃ ଜ୍ଞାନ, କର୍ମ ଓ ଅନୁଭୂତି ସକଳ ସେବାନନ୍ଦ (ସେବା+ ଆନନ୍ଦ) ସୂରୂପ ପାଲଟି ପ୍ରେମ ଧର୍ମର ପରିପୂର୍ଣ୍ଣତା' ସୂରୂପକୁ ପ୍ରକାଶ କରିଥାଏ । ଯାହା ଫଳରେ ସେ ପ୍ରେମ ଧର୍ମରେ ସମାଜକୁ ସର୍ବୋପରି ବିଶ୍ୱକୁ ବାନ୍ଧି ରଖେ ।

Post a Comment

0 Comments