Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଆଜ୍ଞା ଆପଣେ - ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା
ଘ.ନଂ-ଏଫ୍/୧୩, ସେକ୍ଟର-୪, ରାଉରକେଲା
ଫୋନ୍- ୭୯୭୮୧୯୨୨୭

ଆଜ୍ଞା ଆପଣେ ଅଛନ୍ତି... ଏମିତି ଲମ୍ବେଇ ହୋଇ ଖଣ୍ଡେ ଦୂରରୁ ଡାକଟିଏ ଛାଡି କାଳିଆ ବୁଢାଟା ଠକ୍ ଠକ୍ କଠାଉ ଶବ୍ଦ କରି ପଶି ଆସେ ଆମ ମଝିଘର ଅଗଣା ଯାଏଁ ବିନା କୌଣସି ସଙ୍କୋଚରେ। କାନ୍ଥ କୋଣକୁ ତା ବଂକୁଲି ବାଡି ଖଣ୍ଡକ ଆଉଜାଇ ଗଣ୍ଠିଲି ପତ୍ର ତଳେ ଥୋଉ ଥୋଉ ବୋଉ ମୋର ଧାଇଁ ଆସେ ପିଢାଟିଏ ଧରି। ଜୁହାର ହୋଇ ଭଲମନ୍ଦ ପଦେ ନିଶ୍ଚୟ ପଚାରେ ଆଉ ବୁଢାର ଗାଧୁଆ ପାଧୁଆ ପାଇଁ ତେଲ ଦାନ୍ତକାଠି ଆଣି ଥୋଇ ଦିଏ। ଶାନ୍ତିରେ ନିଶ୍ବାସ ମାଇଲା ପରେ ବୁଢା ଆଜି ଟିକେ ସନ୍ତୁଳା କରିବ ମା' ବୋଲି କହି ଚା' ଟିକେ ପାଇଁ ଅନାଇ ବସେ। ବାପା ତ ପ୍ରାୟ ଘରେ ବସିବା ଲୋକ ନୁହନ୍ତି, ଆମେ ପିଲାମାନେ କେବେ ବୁଝି ଜାଣିବାକୁ ଚେଷ୍ଟା କରି ନଥିଲୁ ଯେ ବୁଢାର ପରିଚୟ କଣ ଓ ସେ କେଉଁ ଗାଆଁର ବୋଲି । ବରଂ କେବେ କେବେ ପଛରୁ ଖତେଇ ହୋଇ ଡିଆଁ ମାରୁଥିଲୁ ଦାଣ୍ଡ ଅଥବା ବାରି ପଟକୁ।


ଅସଲ କଥା ହେଲା ବୁଢା କୋଉ ଦି ମାସରେ ଥରେ ଆସେ ଆମ ଗାଆଁକୁ ଭିକ୍ଷାବୃତ୍ତି ପାଇଁ ପାଞ୍ଚ ସାତ କୋସ ଦୂରରୁ। କେମିତି କେଜାଣି ମୋ ବାପାଙ୍କ ସହିତ ଏମିତି ଏକ ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇ ଆମ ଘରର ଆତିଥ୍ଯ ଟିକେ ପାଇଁ ଭାରି ଆଗ୍ରହ। ନିତ୍ଯ କର୍ମ ସାରି ଚନ୍ଦନ ତିଳକ ଆଦି ହୁଅନ୍ତି, ବର୍ଣ୍ଣରେ ବ୍ରାହ୍ମଣ ଯେଣୁ ।ଅଳ୍ପ କେତେକ ଘର ବୁଲି ଭିକ୍ଷା ଗ୍ରହଣ କରନ୍ତି ଅଥବା ବାପା ଦେଖା ହୋଇଗଲେ ମଠ ମନ୍ଦିର ଆଡ଼େ ଚାଲି ଯାଆନ୍ତି। ହଁ, ଭୋଜନ ଆଉ ବିଶ୍ରାମ ଆମରି ଘରେ । ବାପା ମଧୁମେହରେ ପୀଡିତ ଥିଲେ, ତେଣୁ ଖିଆପିଆରେ ବିଶେଷ ଧ୍ୟାନ। ଆଉ ତ ଆଉ କବିରାଜୀ ଔଷଧ ପତ୍ର ତଥା ଚେରମୂଳୀ ଅବଲେହ ଓ ମୋଦକରେ ଘର ସାରା ଖାଲି ମହକି ଉଠେ । କେବେ କେବେ ଆମେ ପିଲାମାନେ ବୁଢାଙ୍କ ପାଖରେ ବସି ପୁରାଣ ବର୍ଣ୍ଣିତ ରୁଚିକର ଗପମାନ ଶୁଣୁ । ଆଉ ଉପରବେଳା ହେଲେ ବୁଢା ଚାଲି ଯାଆନ୍ତି ।


ଆଜି କାହିଁକି ଏତେ ପୁରୁଣା କଥାସବୁ ଜଳ ଜଳ ହୋଇ ଭାସି ଉଠୁଛି ମୋ ଆଖି ଆଗରେ ସିନେମା ଜଗତର ଚିତ୍ରକଥା ପରି। ସ୍କୁଲରେ ପୂଜା ସାରି ସେବର୍ଷ ଗଣେଶ ଚଉଠି ଦିନ ଆମେ ସବୁ ଡେରିରେ ଫେରିଥାଉ ଘରକୁ। ବଡନାନୀ ବି ଆସିଥିଲା ବାପାଙ୍କୁ ଦେଖିବାକୁ। ବାପା କେବେ କଣ ଅପଥି କରିଦେଇଥିଲେ ଯେ ବଡଭାଇ ରାଗିକି କଥାବାର୍ତ୍ତା ହେଉ ନଥିଲେ ବାପାଙ୍କ ସହିତ। ସିଏ ଖାଇ ବସିଥିଲା ବେଳେ ବାପା ହଠାତ୍ ଡାକ ପକାଇଲେ ତାଙ୍କର ଶୋଇବା ଘରୁ। ନ ଶୁଣିବା ପରି ଖାଇ ଚାଲିଥିବା ଭାଇଙ୍କୁ ନାନୀ ବାଧ୍ଯ କରି ପଠାଇଲା ଶୁଣି ଆସିବାକୁ। ବାପା ତାଙ୍କ ପାଦ ଚିପିବାକୁ କହିଥିଲେ ଏବଂ ବଡଭାଇ ତାହା କରୁଥିବା ବେଳେ ଜମିବାଡ଼ି ବିଷୟରେ ବାପା କିଛି କଥା ସବୁ କହୁଥିବା ମୁଁ ଶୁଣିଛି । ଆମେ ସାନପୁଅମାନେ ଥାଉଁ ଥାଉଁ ବଡଭାଇନା ପାଦ ଚିପିବା ଓ ବାପାଙ୍କ କଥାରୁ ନାନୀ କଣ ବୁଝିଲା କେଜାଣି ଶୀଘ୍ର ଆସି ଭାଇନାଙ୍କୁ ଚାପୁଡାଏ ମାରି ବାପା ଆଉ ରହିବେନି ରେ ବୋଲି କହି କାନ୍ଦ ବୋବାଳି ଆରମ୍ଭ କରିଦେଲା । ସଙ୍ଗେ ସଙ୍ଗେ କକାମାନଙ୍କୁ ଓ ଭିଣୋଇ ମାନଙ୍କୁ ଡକରା ପଠାଗଲା, ବ୍ରାହ୍ମଣମାନେ ଆସି ଭାଗବତ ପଢିଲେ । ଆମେ ସାନପୁଅମାନେ କିଛି ନବୁଝି ସ୍ଥାଣୁ ହୋଇଗଲୁ। ବାପା କିନ୍ତୁ ଏବେ ମରିବିନି କାନ୍ଦ ନାହିଁ ବୋଲି କହୁଥିଲେ। କିଛି ସମୟ ପରେ ସଂଗାତ ବାପା ପହଞ୍ଚିଲେ ଏବଂ କହିଲେ - - ପିଲାମାନଙ୍କୁ ସତକଥା କହି ଦେଉନ ସଂଗାତେ, କାହିଁକି ସଂଶୟରେ ରଖୁଛ? ବାସ୍ ଆକାଶ ଫାଟିଗଲା ଯେମିତି, ଦାନପାଣିର ବନ୍ଦୋବସ୍ତ କର ବୋଲି ବାପା ନିଜେ କହିଦେଲେ। ଶେଷସ୍ନାନ, ଗୋଦାନ, ନିର୍ମାଲ୍ୟ, ଗଙ୍ଗାଜଳ, ମହାପୁରାଣ ଓ ଚନ୍ଦନ ତିଳକାଦି ସହ ନବୀନ ବସ୍ତ୍ର ପରିଧାନ ପ୍ରଭୃତି କାର୍ଯ୍ୟକ୍ରମ ଭିତରେ ଆମେ ଜଣେ ଜଣେ ଯାଇ ମୁଣ୍ଡିଆ ମାରୁଥିଲୁ ମୁକ ହତବାକ୍ ଭାବରେ। କନ୍ଦାକଟା ଚାଲିଥିବା ବେଳେ ଦାଣ୍ଡରେ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା ଆଉ ଆମ ସମସ୍ତଙ୍କୁ ଛାଡି ବାପା ମହାପ୍ରୟାଣକୁ ଚାଲିଗଲେ ।


କିଛି ଦିନର ବ୍ଯବଧାନରେ ବୁଢାଟା ପୁଣି ଆସିଥିଲା ସେହି ଚିରାଚରିତ ଢଙ୍ଗରେ ବାଡି ପୁଟଳି ଧରି କଠାଉ ପିନ୍ଧି । ଆଉ ଆଜ୍ଞା ଆପଣେ ଅଛନ୍ତି... ବୋଲି ଡାକ ଛାଡି ଠକ୍ ଠକ୍ କଠାଉ ଶବ୍ଦ କରି ପଶିଗଲା ଘର ଅଗଣାକୁ । ବୋଉ ପୂର୍ବଭଳି ପିଢାଟିଏ ଧରି ଆସିବା ବେଳକୁ ବୁଢା ଭୋ ଭୋ କରି କାନ୍ଦ ଛାଡିଲା। ବୋଉକୁ ବିଧବା ବସ୍ତ୍ରରେ ଦେଖି ବାହୁନି ହୋଇ ଏତେ ଲୁହ ଢାଳିଗଲା ଯେ ମନେହୁଏ ଆମେ ପୁଅମାନେ ସେତେ କାନ୍ଦି ନାହୁଁ ବାପାଙ୍କୁ ହରେଇ । ତା ପରଠାରୁ ସିଏ କେବେ ବି ଆଉଥରେ ଆସି ନାହାନ୍ତି ଆମ ଗାଆଁକୁ । ହେଲେ ଦିନେ ବାପାଙ୍କ ମେଜରୁ କିଛି ଦସ୍ତାବିଜ ଓ କାଗଜପତ୍ର ଘାଣ୍ଟୁ ଘାଣ୍ଟୁ ବଡ଼ଭାଇଙ୍କୁ ଏକ ମହତ୍ବପୂର୍ଣ୍ଣ ଲେଖା ପ୍ରାପ୍ତ ହେଲା, ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା କି ଅମୁକ ବର୍ଷ ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀ ଦିନ ଅମୁକ ଦଣ୍ଡ ଲିତା ସମୟରେ *ତୀର୍ଥ ଗମନ ଯୋଗ *।

Post a Comment

0 Comments