Information

ଗଞ୍ଜାମ ଅଞ୍ଚଳର ପାରମ୍ପରିକ ଦଣ୍ଡନୃତ୍ୟ

ଉପସ୍ଥାପନା - ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା, କୋଦଳା, ଗଞ୍ଜାମ

ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକପର୍ବ । ଗ୍ରାମାଞ୍ଚଳରେ ଏହା କାମନାଦଣ୍ଡ  ବା ଦଣ୍ଡଯାତ୍ରା ନାମରେ  ପରିଚିତ । ଏହି ନୃତ୍ୟ ଧର୍ମୀୟ ଧାରଣା ଏବଂ ଈଶ୍ଵର ବିଶ୍ଵାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକ-ନାଟକ ଗୁଡିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ଵୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର, ବୌଦ୍ଧ ନିକାୟ, ପାଣିନି, କୃଶାଶ୍ଵ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବହିର୍ଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନ ଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ଵସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟଶିଳ୍ପୀର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ, ଶିବ ଓ ମଙ୍ଗଳର ଜୟଗାନ ପାଇଁ ଆହ୍ଵାନ ଦେଇଥାନ୍ତି । ଲୋକ ନାଟକର ସୃଷ୍ଟି ଉତ୍ସ ସମ୍ପର୍କରେ କେତେଗୁଡିଏ ତଥ୍ୟ, ଯଥା ୧-ପ୍ରକୃତି ପ୍ରଭାବ, ୨-ଧର୍ମ ଟିନ୍ତନ, ୩-କୃଷି ସଭ୍ୟତା, ୪-ସାମରିକ ପରମ୍ପରା, ୫- କାରୁକଳା, ୬-ଆଦିବାସୀ ଓ ଓଡିଶୀ ନୃତ୍ୟ । ବୈଦିକ ଯୁଗରେ ଲୋକ ନାଟକର ଉବ୍ଦଭ ହୋଇଥିଲେ ମଧ୍ୟ ଏବେ ଏଗୁଡିକ ଲୋକ ସମାଜରେ ମୂର୍ମୁଷ ଅବସ୍ଥାରେ କେବଳ ବଞ୍ଚି ରହିଛନ୍ତି । ଏଗୁଡିକର ପୁନରାଉଦ୍ଧାର ପାଇଁ ଏବେ ଅବଶ୍ୟ ସମଗ୍ର ବିଶ୍ଵ ଚଳଚଞ୍ଚଳ ହୋଇପଡ଼ିଛି । ସମଗ୍ର ବିଶ୍ଵରେ ବିଭିନ୍ନ ପ୍ରକାର ଲୋକନାଟକ ପ୍ରଚଳିତ । ଚୀନ୍, ଆମେରିକା, ଲୋହିତ ଭାରତୀୟ ଦ୍ଵିପପୁଞ୍ଜ, ଆଫ୍ରିକାର ଆଦିବାସୀ ଅଞ୍ଚଳ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ଭଳି ଭଳି ଲୋକନାଟ୍ୟର ପ୍ରଚଳନ ଦେଖିବାକୁ ମିଳେ । ସେହିଭଳି ଓଡ଼ିଶାରେ ମଧ୍ୟ ବିଭିନ୍ନ ଲୋକନାଟକ ମଧ୍ୟରୁ ଦଣ୍ଡନାଟ ଏକ ପ୍ରଭାବଶାଳୀ ଶାଖା ।



ରୋଗ ନିବାରଣ, ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମାଆ ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମା ପରଠାରୁ ଭକ୍ତମାନେ ରହିଥାନ୍ତି । ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଦଣ୍ଡଦଳ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଘୁମୁସର ଅଞ୍ଚଳର କୁଲାଗଡ଼ରୁ ଆରମ୍ଭ ହୋଇଥିବା ଦଣ୍ଡନାଟ ପରବର୍ତ୍ତୀ ସମୟରେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ, ବିଶେଷକରି ଶକ୍ତିପୀଠ ଗୁଡ଼ିକୁ ବ୍ୟାପି ଥିବାର ଜଣାପଡ଼େ । “ହେ ଋଷିପୁତ୍ରେ ! ଅଇଲେ ହର... ଦେଇଗଲେ ବର... ଅନ୍ୟ ସେବା ଛାଡ଼ି ଏ ସେବା କର... ଏ ସେବା କଲେ କି ଫଳ ପାଏ... ଉଷୁନାଧାନ ଗଜା ହୁଏ... ଶୁଖିଲା କାଠ କଞ୍ଚା ହୁଏ... ଭଜାମୁଗ ଗଜା ହୁଏ... ଅପୁତ୍ରିକ ପୁତ୍ରଦାନ ପାଏ... ଅନ୍ଧ ଚକ୍ଷୁଦାନ ପାଏ... ଜରାରୋଗ ଭଲ ହୁଏ...” ବୋଲି ବାଣୀକାର ଗାଇ ଦଣ୍ଡନାଟ ଆରମ୍ଭ କରିଥାଏ । ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀ-ସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି । କାମନା-ଘଟ ସ୍ଥାପିତ ହୁଏ ଓ ତା’ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକ ରୂପେ ସ୍ଥାପନ କରାଯାଏ । ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆ ମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରୁହେ । କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜା ପରେ ଦଣ୍ଡନାଟ ଆରମ୍ଭ ହୁଏ । ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ, କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ ଓ ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ । ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ।

Post a Comment

0 Comments