ମାଆ ଗରଭରୁ ଜନ୍ମିତ ସନ୍ତାନ
ପ୍ରଥମେ ସ୍ପର୍ଶେ ମାଟି'ମା
କୁଆଁ କୁଆଁ କାନ୍ଦ ସୁଖର ସମ୍ବାଦ
ଆସିଲେ ଲକ୍ଷ୍ମୀ ପ୍ରତିମା ....
କଅଁଳ ପାଦରେ ଅଭ୍ୟାସର ଚାଲି
ପଡଇ ଥରକୁ ଥର
ଗୀତ ନାନାବାୟୀ ଗପ ଟୁଆଁ ଟୁଇଁ
ହସଖୁସି ପଟୁଆର ....
ବଡ ହୋଇ ଝିଅ ଘରଯୋଗ୍ୟା ହେଲେ
ଲାଜର ଓଢ଼ଣା ସାଖି
କାଇଦା କଟକଣା ଏରୁଣ୍ଡି ପାଖେ
ନିଜକୁ ନିଏ ପରଖି ....
ପରଖିଲା ପରେ ପରଗୋତ୍ରୀ ହୁଏ
ଅଦେଖା ହାତକୁ ଧରି
ବିବାହ ବେଦୀରେ ସମାଜ ସ୍ୱୀକୃତି
ବାଜେ ମିଳନ ମହୁରୀ ....
ଗଇଁଠାଳ ଗଣ୍ଠି ଫୁଲର ଚଉଠି
ପ୍ରତୀକ୍ଷାର ହୁଏ ଅନ୍ତ
କାଣିଚାଏ ସୁଖ ହୁଏ ସମ୍ଭାବନା
ଆଗନ୍ତୁକ ଯେ ବସନ୍ତ ....
ବସନ୍ତ ଛୁଇଁଲେ ସେ ଧରାବକ୍ଷକୁ
ଫୁଲଫଳ ପଟୁଆର
ଦେହ ଦାହ ଦୁହେଁ ଏକାଠି ହୋଇଲେ
ଆଗାମୀ ସେ ବଂଶଧର ....
ଜନ୍ମ ଦିଏ ତାକୁ ଯାତନା ଆଦରି
ଦଶମାସ ଦଶଦିନ
ବେ'ସାହାରା ବୟସେ ସାହାରା ହେବ
କରେ ଲାଳନ ପାଳନ .....
ପାଳନର ପାଳି ପଡିଲା ବେଳକୁ
ପୁଅ ସାଜେ କୁଳାଙ୍ଗାର
ବୋଝ ବୋଲି କହି ଜରାଶ୍ରମେ ଛାଡେ
କରି ତାକୁ ହତାଦର....
ଲୁହ ଢାଳେ ସିନା ତା'ଦୁଇ ଆଖିରୁ
ଦିଏ ନାହିଁ ଅଭିଶାପ
ମାଆ ଶବ୍ଦ ଭାଇ ମମତା ବୋଳାରେ
ହୃଦୟ ତାର ନିଷ୍ପାପ ....
କେବେ'ସେ ଭଗିନୀ ଜାୟା ଓ ଜନନୀ
ଅକୁହା କାହାଣୀ ରୂପ
କନ୍ୟାଭୃଣ ବୋଲି ହତ୍ୟା କରନାହିଁ
ସେ'ଅଟେ ପାପର ବାପ .......
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।