Information

ଭିନ୍ନ ଏକ ପୃଥିବୀର ମଣିଷ - ଅଜୟ କୁମାର ସାହୁ

ଅଜୟ କୁମାର ସାହୁ
ଚାନ୍ଦପୁର, ନୟାଗଡ

ସତରେ ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଏ ବିଚିତ୍ର ସୃଷ୍ଟିର ଜୀବ ମାନେ ମଧ୍ୟ ଆହୁରି ଅତ୍ୟନ୍ତ ବିଚିତ୍ର । ପ୍ପ୍ରତ୍ୟେକ ଏହି ବିଶାଳ ପୃଥିବୀରେ ଗୋଟିଏ ଗୋଟିଏ କ୍ଷୁଦ୍ର ପୃଥିବୀର ବାସିନ୍ଦା, ଯାହା ସେମାନଙ୍କ ପରିବାର, ସମାଜ ଓ ପରିବେଶକୁ ନେଇ ଗଠିତ । କିଏ ନିଜେ ଓ ନିଜ ପରିବାରକୁ ଗୋଟେ ଓଳି ଖାଇବାକୁ ଦେବାପାଇଁ ସଂଘର୍ଷ କରୁଛି ତ କିଏ ଅର୍ଜନ କରିଥିବା ଅମାପ ସମ୍ପତ୍ତିର ସୁରକ୍ଷା ପାଇଁ ଚିନ୍ତିତ । କାହାର ପିନ୍ଧିବା ପାଇଁ କନା ଚାଖଣ୍ଡେ ନାହିଁ ତ କିଏ ଶହ ଶହ ପୋଷାକ ମଧ୍ୟରୁ ପିନ୍ଧିବା ପାଇଁ ବାଛିବାକୁ କଷ୍ଟ ଅନୁଭୋବ କରୁଛି । କିଏ ପାଠ ପଢି ଆଗକୁ ବଢିବାକୁ ଚାହୁଁଛି, କିନ୍ତୁ ତା ପାଖରେ ସମ୍ବଳ ଓ ପରିବେଶର ଅଭାବ ପ୍ରତିବନ୍ଧକ ସାଜିଛି, ଆଉ କାହାପାଖରେ ସମସ୍ତ ସାଧନ ଥାଇ ବି ସେ ପାଠ ପଢିବାକୁ ଇଚ୍ଛା ପ୍ରକାଶ କରୁନାହିଁ । କାହା ପାଖରେ ଅନେକ ସନ୍ତାନ, ଯେଉଁ ମାନଙ୍କୁ ପାଳିବା ତା ପକ୍ଷେ କଷ୍ଟସାଧ୍ୟ ବ୍ୟାପାର ହୋଇପଡିଛି । ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଗୋଟିଏ ସନ୍ତାନ ପାଇଁ ତୃଷାର୍ତ୍ତ ନଯନରେ ଭଗବାନଙ୍କ ଆଶ୍ରିତ । କଥାରେ ଅଛି, “କାନ ଥିଲେ ନୋଳି ନାହିଁ ଆଉ ନୋଳି ଥିଲେ କାନ ନାହିଁ” । ସତରେ ଏହା ନିରାଟ ସତ୍ୟ ଅଟେ । ଭଗବାନଙ୍କ ଏହି ସୃଷ୍ଟି ସତରେ ବଡ ବିଚିତ୍ର । ଆମପରି କିଛି ଲୋକ ଅଛନ୍ତି, ଯେଉଁ ମାନେ କି ସଦା ସର୍ବଦା ଜୀବନ ସଂଘର୍ଷରେ ସବା ଆଗରେ ରହିବାକୁ ପ୍ରୟାସରତ । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ସେମାନଙ୍କ ନିକଟରେ ଏଇ ଜୀବନ ସଂଘର୍ଷ ସମାଜ, ସମାଜର ବାଧା, ନୀତି ନିୟମ ଆଦିର କିଛି ମାନେ ନାହିଁ ।


ଏସବୁ କହିବାର ବାହୁଲ୍ୟ ଏହି ଯେ, ଗତ ମାସ ଅନ୍ତିମ ସପ୍ତାହରେ ହଠାତ ମୋ ବୋଉର ସ୍ୱାସ୍ଥ୍ୟ ଅତ୍ୟନ୍ତ ବିଗିଡିଗଲା, ତେଣୁ ତାକୁ ମୁ କ୍ୟାପିଟାଲ ହସପିଟାଲ ନେଇଗଲି । ସେଠାରେ ଚାଲିଲା ଅନେକ ପରୀକ୍ଷା ନିରୀକ୍ଷା, ଶେଷରେ ଡାକ୍ତର କହିଲେ ଅସ୍ତ୍ରୋପଚାର କରିବାକୁ ପଡିବ । ଅସ୍ତ୍ରୋପଚାର ନିମନ୍ତେ ଦିନ ନିର୍ଦ୍ଧାରିତ ହେଲା ଓ ସବୁ କାମ ସୁରୁଖୁରୁରେ ଚାଲିଲା । ତେଣୁ ମୋତେ ସାତ ଦିନ ଡାକ୍ତରଖାନାରେ ରହିବାକୁ ପଡିଲା । ଏହି ରହଣି ସମୟରେ ଅନେକ ଘଟଣା ମୋ ମନକୁ ଆନ୍ଦୋଳିତ କରିଥିଲା । ସେ ସବୁ ଘଟଣା ମଧ୍ୟରୁ ଗୋଟିଏ ଘଟଣା ମୋତେ ଖୁବ ବିସ୍ମିତ କରିଥିଲା । ଯେହେତୁ ମୋତେ ହସପିଟାଲରେ ରହିବାକୁ ପଡିଲା, ସେଥିପାଇଁ ହୋଟେଲକୁ ତିନିଥର ମୋତେ ଖାଇବାକୁ ଯିବାକୁ ପଡୁଥିଲା । ହୋଟେଲ ଯିବା ରାସ୍ତାରେ ପଡେ ବ୍ଲଡ଼-ବ୍ୟାଙ୍କ, ସେହି ବ୍ଲଡ଼-ବ୍ୟାଙ୍କ ସମ୍ମୁଖରେ ଜରାଜୀର୍ଣ୍ଣ ଓ ଧୁଳି ଧୂସର ଅବସ୍ଥାରେ ଆଣ୍ଠୁ ନଲୁଚା ଚିରା ଗାମୁଛାଟିଏ ପିନ୍ଧି ବସିଥାନ୍ତି ଜଣେ ବୃଦ୍ଧ ଲୋକ । ପାଖରେ କେହି ନଥିଲେବି ବୃଦ୍ଧ ଜଣଙ୍କ ମନେ ମନେ କଥା ହେଉଥାନ୍ତି କାହା ସହିତ । ବେଳେ ବେଳେ ଅଇଁଠା ଖଲିପତ୍ର ଗୋଟାଇ ସେଥିରୁ କିଛି ଖାଉଥିବାର ମଧ୍ୟ ଲକ୍ଷ୍ୟ କରିହୁଏ । ଲୋକଟି ହିଂସ୍ର ନହଲେବି ପାଗଳ ବୋଲି ମନେହୁଏ । ମୁଁ ହୋଟେଲକୁ ଖାଇବା ପାଇଁ ଯିବା ଆସିବା ବାଟରେ ଦଣ୍ଡେ ଠିଆ ହୋଇ ଲୋକଟିକୁ କିଛି ସମୟ ନିରୀକ୍ଷଣ କରେ । ଆଉ ଲୋକଟି ମୋତେ ଚାହେଁ ଏବଂ ହସି ଦେଇ ମୁହଁ ବୁଲେଇଡିଏ । ତାପରେ ମୁଁ ହସପିଟାଲର କ୍ୟାବିନକୁ ଫେରିଆସି ଏହି ଅସହାୟ ଚରିତ୍ରଟିକୁ ବିଶ୍ଳେଷଣ କରିବାକୁ ଚେଷ୍ଟାକରେ ।


ସେଦିନ କଥା... ବୋଉ ହସପିଟାଲ ଛାଡିବାର ଠିକ ପୂର୍ବ ଦିନ ରାତିରେ, ମୁଁ ହୋଟେଲରୁ ଫେରୁଥିବା ସମୟରେ ହସପିଟାଲର ଜଣେ କର୍ମଚାରୀଙ୍କ ଠାରୁ ଏହି ଚରିତ୍ରଟି ବିଷୟରେ ଜାଣିବାକୁ ଚାହିଁଥିଲି । ଏହି ଚରିତ୍ରଟିକୁ ନେଇ ମୋର କିଛି ଆକସ୍ମିକ ପ୍ରଶ୍ନରେ ହସପିଟାଲ କର୍ମଚାରୀ ଜଣଙ୍କ ବିରକ୍ତି ପ୍ରକାଶ କରିଥିଲେ । ପାଖରେ ଗୋଟିଏ ଠେଲା ଗାଡିରେ ମସଲା-ମୁଢି ବିକୁଥିବା ଜଣେ ବ୍ୟକ୍ତି ମୋର ଜିଜ୍ଞାସାକୁ ଅନୁଭୋବ କରି ମୋତେ ଏହି ଚରିତ୍ରଟି ବିଷୟରେ କିଛି କହିବାକୁ ଉଦ୍ୟତ ହେଉଥିବା ମୁଁ ଅନୁଭୋବ କରିପାରିଲି । ଜାଣିବାକୁ ପାଇଲି, ଏହି ପାଗଳ ବୃଦ୍ଧ ଜଣଙ୍କ ଜଣେ ସରକାରୀ କର୍ମଚାରୀ ଥିଲେ । ନିଜର ଅତି ଆପଣାର ମନର ମଣିଷଟିକୁ ହରାଇବା ପରେ ଆଜି ତାଙ୍କର ଏଇ ଅବସ୍ଥା । ସେ ତାଙ୍କର ଧର୍ମପତ୍ନୀଙ୍କୁ ଖୁବ ଭଲ ପାଉଥିଲେ ଆଉ ପତ୍ନୀଙ୍କ ବିୟୋଗରେ ଖୁବ ଭାଙ୍ଗିପଡି ସେ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ।


ଏକଥା ଶୁଣି ମୁଁ ଖୁବ ଭାଙ୍ଗି ପଡିଥିଲି । ସୃଷ୍ଟିର ଇଏ କି ନିୟମ ? ଚରିତ୍ରଟି ନିକଟକୁ ଯାଇ କିଛି କଥା ହେବା ପାଇଁ ଖୁବ ଇଚ୍ଛା ହେଲା । ଆଗକୁ ଅଗ୍ରସର ହେଉ ହେଉ ବୋଧହୁଏ ନିଃସହାୟ ବୃଦ୍ଧ ଜଣଙ୍କ ବୁଝିପାରିଥିଲେ ମୁଁ ତାଙ୍କ ନିକଟକୁ ଅଗ୍ରସର ହେଉଛି ବୋଲି । -“Please, Don’t Disturb Me” କହି ବୃଦ୍ଧ ଜଣଙ୍କ ମୋ ନିକଟରୁ ପଛକୁ ଦୂରେଇ ଯିବାକୁ ଚେଷ୍ଟା କରୁଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ସବୁ ଭାବନା ମୋର ଓଲଟ ପାଲଟ ହୋଇଗଲା । କେବଳ ମନେ ମନେ ଭାବୁଥାଏ, ସତେ ଏଇ ଲୋକଟି ଭିନ୍ନ ଏକ ପୃଥିବୀର ବାସିନ୍ଦା । କାରଣ ଏତେ କଷ୍ଟ ଆଉ ଯନ୍ତ୍ରଣା ମଧ୍ୟରେ ବି ସେ ଖୁସି ରହିବାକୁ ଶତ ଚେଷ୍ଟିତ । ଜୀବନର ଏତେବଡ ଲମ୍ବା ରାସ୍ତାକୁ ସେ କେମିତି ଅତିକ୍ରମ କରିବ ତାହା ସେହି ସୃଷ୍ଟିକର୍ତ୍ତାଙ୍କୁ ହିଁ ଜଣା । ଭଗବାନ ତାକୁ ସହାୟ ହୁଅନ୍ତୁ ।


ତୋର ଲୀଳା ବୁଝିବାକୁ ଶକ୍ତି ନାହିଁ ମୋର
ତୁହି ପରା ଅଟୁ ମୋର କାଳିଆ ଠାକୁର ॥
ଯେତେ ଦୁଃଖ ଆସୁ ପଛେ ଜୀବନେ ମୋହର
ମନ ମୋର ରହୁ ସଦା ତୋ ଶ୍ରୀପୟର ॥

Post a Comment

0 Comments