Information

ବ୍ୟଙ୍ଗଗଳ୍ପ - କୁଲର - ଇଂ ଦୀପ୍ତି ରଞ୍ଜନ ପଣ୍ଡା

ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସଂପଦ ବିଭାଜନ, ଖୋର୍ଦ୍ଧା


ମୋର ଶଳା ଯେ କି ନୋଇଡାର କୌଣସି ଏକ ଲିମିଟେଡ କମ୍ପାନୀରେ ଉଚ୍ଚ ପଦବୀରେ କାମ କରେ । ନୋଇଡାରେ ଗୋଟିଏ ଦୁଇ ବଖରା ଘର ତତସଲଗ୍ନ ରୋଷେଇଘର ଓ ଗାଧୁଆଘର ଭଡାରେ ନେଇଛି । ନିଜେ ବର୍ତ୍ତମାନ ସୁଧା ଅବିବାହିତ । ଭିତର ପଟ ଘରେ ଗୋଟିଏ ଖଟ, ଟେବୁଲ ଓ ଚେୟାର । ବାହାରପଟ ଅର୍ଥାତ ଡ୍ରଇଁଙ୍ଗରୁମରେ ସୋଫାସେଟ, ଟିଭି ଏବଂ ଗୋଟିଏ ବୃହତକାୟ ଲୋକାଲ ମେଡ କୁଲର ଥୁଆ ହୋଇଛି । ଶୋଇବାଘରର ଛାତରେ ଗୋଟିଏ ସିଲିଙ୍ଗ ପଙ୍ଖା ଝୁଲୁଛି ଏବଂ ରେଗୁଲେଟରରେ ଫୁଲ ସ୍ପିଡ ଦେଲେ ମଧ୍ୟ ସେ ପଙ୍ଖାରୁ ପବନ ବାହାରେନି । ଏଭଳି ପଙ୍ଖା କାହିଁକି ଝୁଲାଇଛୁ ବୋଲି ଶଳାବାବୁଙ୍କୁ ପ୍ରଶ୍ନ କରିବାରୁ ସେ ମୋତେ ଏହା କେବଳ ବେକରେ ଦଉଡି ଦେଇ ଆତ୍ମହତ୍ୟା ଉଦେଶ୍ୟରେ ଟଙ୍ଗା ହୋଇଛି ବୋଲି ଉତ୍ତର ଦେଇଥିଲା । କିନ୍ତୁ ଡ୍ରଇଙ୍ଗରୁମ କଥା ପୂରାପୂରି ଓଲଟା । ଏ ଘରର ସିଲିଙ୍ଗ ଫ୍ୟାନ ନାହିଁ । ସେହି ବିରାଟକାୟ ଟିଣରେ ତିଆରି କୁଲରଟି ଚାରିଗୋଟି ଇଟା ଉପରେ ଦଣ୍ଡାୟମାନ । ଖରାଦିନେ ଏହା ଭିତରେ ବଡ ବାଲଟିରେ ପାଞ୍ଚ ବାଲଟି ପାଣି ଭର୍ତ୍ତି କଲେ ଏହା କାର୍ଯ୍ୟକ୍ଷମ ହୁଏ । ଏବଂ ତାହା ଭିତରେ ଥିବା ପଙ୍ଖାଟି ଅନ୍ୟ ସମୟରେ ଟେବୁଲପଙ୍ଖାର କାମକରେ ।


ଏହି କୁଲରଟି ଗୋଟିଏ ବିଚିତ୍ର କୁଲର । ଏହାର ଏତେ ଯେ ଗୁଣ ସବୁ ଖୁନ୍ଦି ହୋଇଛି ତାହା ଅବର୍ଣ୍ଣନୀୟ । ଏହାର ବୟସ ବୋଧହୁଏ ପାଞ୍ଚ ବା ଛଅ ବର୍ଷ ହେବ । ପୁରୁଣା ରଙ୍ଗ ଛାଡିଯାଇ ଏହା ଦେହରେ ବର୍ତ୍ତମାନ ଛଉ ହୋଇଯାଇଛି । ଭିତରପଟ କଳଙ୍କି ଧରି ଲୁହା ଖଣ୍ଡର ଛେଲା ପାଣି ଭିତରେ ପଡୁଛି । ନଜାଣିଲା ଲୋକ ଯଦି ହଠାତ ଏହାର ସୁଇଚକୁ ଅନ କରେ ତେବେ ନିଶ୍ଚିତ ଭାବେ ସକ ଖାଇବ । ଆମର ଶଳାବାବୁ ତାଙ୍କ କାମରେ ଏତେ ବ୍ୟସ୍ତ ଯେ ତାଙ୍କୁ କୁଳରର ଯତ୍ନ ନେବାକୁ ବେଳ ନାହିଁ । ସେ ସକାଳୁ ବହୁତ ଶୀଘ୍ର ଅର୍ଥାତ ନଅଟା ବେଳକୁ ଶଯ୍ୟା ତ୍ୟାଗ କରେ । ଏବଂ ସଙ୍ଗେ ସଙ୍ଗେ ତରତର ହୋଇ ନିଜକାମ ସାରି ଦଶଟା ବେଳକୁ ଅଫିସକୁ ଯାଏ । ଅଫିସରୁ ବାବୁ ରାତି ଦଶଟା ବେଳକୁ ଫେରି ଟିଭି ଅନ କରି କାର୍ଟୁନ ଦେଖାରେ ବସିଥାନ୍ତି । ଚାକରାଣୀ ତା ପାଇଁ ରାତ୍ରିର ଖାଦ୍ୟ ପ୍ରସ୍ତୁତ କରି ଦେଇଥାଏ । ବାବୁ ପ୍ରତ୍ୟେକ ଦିନ ରାତି ଏଗାରଟାରୁ ବାରଟା ଭିତରେ ଡ୍ରଇଙ୍ଗରୁମର ଚଟାଣରେ ଶେଯ ବିଛାଇ ଶୁଅନ୍ତି । ଶନିବାର ଏବଂ ରବିବାର ବାବୁଙ୍କର ଦୁଇଦିନ ଛୁଟି ଥିଲେ ମଧ୍ୟ ସେ ଭାରି ବ୍ୟସ୍ତ । ଘରକୁ କମସେ କମ ଚାରି ପାଞ୍ଚୋଟି ଓଡିଆ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରି କୁକୁଡା ଟାଙ୍କୁର ମଜା ସେ ନେଇଥାନ୍ତି । ବେଳେ ବେଳେ ବିଦେଶୀ-ମାଲ ମଧ୍ୟ ଚଢାନ୍ତି ସେମାନେ । ଶଳାଙ୍କର ବିବାହ ପାଇଁ ଯେତେ ଝିଅମାନଙ୍କର ପ୍ରସ୍ତାବ ଆସୁଛି ସବୁ ପ୍ରିଲିମିନାରୀ ଷ୍ଟେଜ ଅର୍ଥାତ ଜାତକ ଦେଖାରେ କଟିଯାଉଛି । ତା ଭାଗ୍ୟରେ ବିବାହ ଯୋଗ ଅଛିକି ନାହିଁ ମୁଁ ସନ୍ଦିହାନ । ମୁଁ ଦିଲ୍ଲୀକୁ ପ୍ରତି ଦୁଇ ବା ତିନି ମାସରେ ମୋର ନିଜ କାମରେ ଆସେ । ଶଳାର ନୋଇଡାରେ ଚାକିରୀ ପୂର୍ବରୁ ମୁଁ ଓଡିଶା-ଭବନରେ ରହୁଥିଲି । ଏବେ କିନ୍ତୁ ସେହି ଦୁଇ ବା ତିନିଦିନ ନୋଇଡାରେ ତା ପାଖରେ ରହେ ।


ଏଥର କୁଲର ପ୍ରସଙ୍ଗକୁ ଆସିବା... । ମୁଁ ନୀଳାଚଳ ଏକ୍ସପ୍ରେସରେ ଓହ୍ଳାଇ ନୋଇଡାରେ ପହଞ୍ଚିଲା ବେଳକୁ ରାତି ନଅଟା । ସେଠାରେ ପହଞ୍ଚି ସାଙ୍ଗେ ସାଙ୍ଗେ ଟ୍ରେନ ଯାତ୍ରାର ଥକା ଯୋଗୁଁ ଟିକିଏ ଗାଧୋଇ ସାରି, ଚା ପିଇ ଶଳା ସହିତ ଗପ ଆରମ୍ଭ କଲି । ଆମ ଶଳାବାବୁ ଅଧିକ ସିଗାରେଟ ଭକ୍ତ । କିଛି ସମୟ ପରେ ବାବୁ ମତେ ସମ୍ମାନ ଦୃଷ୍ଟିରୁ ତଳୁ ଟିକେ ଆସୁଛି କହି ସିଗାରେଟ ପିଇବାକୁ ଚାଲିଗଲା ଏବଂ ଯିବା ପୂର୍ବରୁ ମୋତେ ଅର୍ଡର ମାରିଦେଲା ଯେ ଭାଇନା ଚାରି ପାଞ୍ଚ ବାଲଟି ପାଣି କୁଲର ଭିତରେ ଭର୍ତ୍ତି କରିବାକୁ । ସେ ଚାଲିଗଲା ପରେ ମୁଁ ଗାଧୁଆଘରୁ ବାଲଟି ପରେ ବାଲଟି ଏହିପରି ତିନି ବାଲଟି ପାଣି କୁଲରରେ ଢାଳିଛି । ଏହି ଢାଳିବା ଭିତରେ ଭିତରେ କିଛି ପାଣି କୁଲର ପାଖରେ ଚଟାଣରେ ପଡିଥାଏ । ଚତୁର୍ଥ ବାଲଟି ପାଣି ଆଣି କୁଲର ପାଖରେ ପହଞ୍ଚିବା ବେଳକୁ ଗୋଡ ଖସି ଯିବାରୁ ମୋର ପୃଥୁଳାକାୟ ଶରୀର ଭାରସାମ୍ୟ ହରାଇ ଚାରିକଡ ମେଲାଇ ତଳେ ପଡିଲା । ଭାଗ୍ୟ ଭଲ ଗୋଡ କି ହାତ କିଛି ଭାଙ୍ଗିନି । କିନ୍ତୁ ବର୍ତ୍ତମାନ ସୁଧା ଅଣ୍ଟାରୁ ଦରଜ ଯାଇନି । ସଙ୍ଗେ ସଙ୍ଗେ ରାଗରେ କୁଲରର ଚଉଦପୁରୁଷକୁ ଉଦ୍ଧାର କଲି । ଶଳା ଫେରିବା ପରେ ଘରୁ ପାଣି ପୋଛାପୋଛି କରି କୁଲରକୁ ରେଡି କରିଥିଲା । ଖାଇସାରିବା ପରେ ମୁଁ ଭିତର ଘର ଖଟରେ ଶୋଇଛି ବୋଲି କହିବାରୁ ସେ ଘର ସିଲିଙ୍ଗ ଫ୍ୟାନର ପବନ କମ ହେଉଥିବାରୁ ଶଳା ଡ୍ରଇଙ୍ଗରୁମର ତଳେ ତା’ର ଏବଂ ମୋର ଶୋଇବା ବନ୍ଦୋବସ୍ତ କଲା । ସେ ପର୍ଯ୍ୟନ୍ତ କୁଲରଟିର ପଙ୍ଖା ଚାଲୁ ହୋଇନଥାଏ । ଶୋଇଲା ବେଳକୁ ଶଳା ଯେତେବେଳେ କୁଲରକୁ ଅନ କଲା ତା’ର ଶବ୍ଦ ଶୁଣି ମୁଁ ତଟସ୍ଥ ହୋଇଯାଇଥିଲି । ମହାବାତ୍ୟା ସମୟରେ ଏତେ ଶବ୍ଦ ବା ଏତେ ପବନ ହେଉନଥିଲା । ଘଁ ଘଁ ଶବ୍ଦରେ ମୁଁ ଶୋଇପାରିବି ନାହିଁ ବୋଲି କହିଲି । ଏହିଭଳି ପନ୍ଦରଦିନ ଖଣ୍ଡେ ଏହି କୁଲର ସାମନାରେ ଶୋଇଲେ କାନର ଗିରି ଫାଟି କାଲା ହେବା ନିଶ୍ଚିତ ବୋଲି ମୁଁ ଶଳାବାବୁଙ୍କୁ କହିଥିଲି । ଶଳା କାହିଁ ସେ ତ କାଲା ହୋଇନି ବୋଲି କହିବାରୁ ତା’ର କର୍ଣ୍ଣ-ଗିରି ବୋଧହୁଏ ଟିଣରେ ତିଆରି ବୋଲି ମୁଁ ଉତ୍ତର ଦେଲି । କିନ୍ତୁ ଶେଷକୁ ଦୁଇକାନରେ ତୁଳା ଖୁଞ୍ଚି ମୋତେ ଶୋଇବାକୁ ପଡିଲା । କୁଲରର ଆଉ ଗୋଟିଏ ସୁଗୁଣ ହେଉଛି ଟିଭି ଚାଲିଲାବେଳେ କୁଲର ବନ୍ଦ କରିବାକୁ ବାଧ୍ୟ ଅନ୍ୟଥା କୁଲରର ବିକଟାଳ ରଡିରେ ଟିଭିରୁ କିଛି ଶୁଭିବନି । କୁଲରର ସବୁଠାରୁ ଭଲଗୁଣଟି ହେଲା ତା ଦେହରୁ ସାଂଘାତିକ ପବନ ବାହାରେ । ହାଲିଆ ଯୋଗୁଁ ମୋତେ କେତେବେଳେ ନିଦ ହୋଇଯାଇଛି ତାହା ମୁଁ ଜାଣିନି । ସକାଳୁ ନିଦ ଭାଙ୍ଗିଲା ବେଳକୁ ଦେଖିଲି ଦୁଇଟିଯାକ ବେଡସିଟ କୁଲରର ପବନ ଯୋଗୁଁ ଆମ ଦୁଇଜଣଙ୍କ ଦେହରେ ଗୁଡେଇ ହୋଇ ରହିଛି ଯେମିତିକି ଲାସ ସଙ୍ଗେ ସଙ୍ଗେ ପୋଷ୍ଟମର୍ଟମକୁ ଯିବ । କୁଲରଟିର ଯେ ଏତେ ଗୁଡିଏ ଗୁଣ ଅଛି ତାହା ଦେଖି ମୋତେ ହସ ଲାଗିଲା ।


କିନ୍ତୁ ପରମୂହୁର୍ତ୍ତରେ କୁଲର ପାଖରେ ଚଟାଣରେ ମୋର ଚଷମାଟିର ଦୟନୀୟ ଅବସ୍ଥା ଦେଖି କୁଲର ଉପରେ ମୋର ରାଗ ପଞ୍ଚମକୁ ଛୁଇଁଥିଲା । ମୁଁ ଶୋଇବା ପୂର୍ବରୁ ପିନ୍ଧିଥିବା ଚଷମାଟିକୁ କୁଲର ଉପରେ ଥୋଇ ଶୋଇପଡିଥିଲି । କୁଲରଟି ଅନ ହେବାପରେ ଏପରି ଭାବେ ଥରେ ଯେ ତା ଉପରେ ଥୁଆ ଯାଇଥିବା ସମସ୍ତ ଜିନିଷ ଚାଲିବାକୁ ଆରମ୍ଭ କରନ୍ତି । ମୋର ଚଷମାଟି ଏହିପରି ଚାଲି ଚାଲି ସହସ୍ର କାଚରେ ପରିଣତ ହୋଇସାରିଛି । ରାଗରେ କୁଲରଟିକୁ ବନ୍ଦ କରି ଆଗ ଘୋଷାଡ଼ି ଘୋଷାଡ଼ି ବାଲ୍କୋନୀ ଉପରକୁ ଟାଣିନେଲି ଏବଂ ଶଳାକୁ ଯାହା ଆସିଲା ବହେ ଶୋଧିଲି । ଆଜି ସନ୍ଧ୍ୟାସୁଧା ଡ୍ରଇଙ୍ଗରୁମରେ ଯଦି ଫ୍ୟାନ ନଲାଗେ ତେବେ ମୁଁ ହୋଟେଲକୁ ପଳାଇବି ଏବଂ ତୋ ନାନୀକୁ ଛାଡପତ୍ର ମଧ୍ୟ ଦେବାକୁ ପଛାଇବି ନାହିଁ ବୋଲି ତାକୁ ଧଡକାଇଲି । ଛାଡପତ୍ର କଥା ଶୁଣି ଶଳା ବିଚରା ଭୟରେ ଆଊ ବାଟ ନପାଇ ସନ୍ଧ୍ୟା ପୂର୍ବରୁ ଫ୍ୟାନଟିଏ ଲଗାଇବାର ବନ୍ଦୋବସ୍ତ କରିଥିଲା ।

Post a Comment

0 Comments