Information

ଅଭାବ - ପାଣ୍ଡବ ପ୍ରଧାନ

ପାଣ୍ଡବ ପ୍ରଧାନ
ମଙ୍ଗଳାଯୋଡି, ଖୋର୍ଦ୍ଧା


ସୂର୍ଯ୍ୟ ଉଦୟ ଆସନ୍ନପ୍ରାୟ... ମାତ୍ର ଅନ୍ଧରାତ୍ରିର କାଳିମା ଅପସରିବାରେ କୁଣ୍ଠାବୋଧ କଲାପରି ମନେ ହେଉଥାଏ । କାଁ ଭାଁ ପାଖ ପଡୋଶୀରୁ ଜଣେ ଅଧେ ପାଣିଢାଳ ଧରି ଚିରାଚରିତ ରୀତିରେ ପଦାକୁ ଶୌଚ ଅଭିଯାନରେ ବିବ୍ରତ ମୁଦ୍ରାରେ ପ୍ରସ୍ଥାନ କଲାଭଳି ମନେ ହେଉଥିଲେ । ଅବଶ୍ୟ ମୁଁ ବି ତାଙ୍କ ମେଳରେ ସାମିଲ ଥିଲି । ମାତ୍ର ସେ ମୁଦ୍ରା ମୋ ପାଖରେ ନଥିଲା । କାରଣ ତାହା ଥିଲା ମୋର ରୀତିମୟ ସମୟ । ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନ ନିମନ୍ତେ ୧୯୮୮ ରୁ ୧୯୯୦ ମସିହା ପର୍ଯ୍ୟନ୍ତ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ନିରାକାରପୁର ଠାରେ ଅବସ୍ଥାପିତ କେ॰ବି॰ଡି॰ଏ॰ଭି॰ କଲେଜକୁ ଯିବାପାଇଁ ଏକମାତ୍ର ଅବଲମ୍ବନ ଥିଲା ପାସେଞ୍ଜର ଟ୍ରେନ ।


ବାଡିପଟ ଫାଟକରୁ ବାହାରି ଟାଙ୍ଗୀ ଠାରୁ ତେନ୍ତୁଳିଆପଡାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାଟିକୁ ଅତିକ୍ରମ କଲାବେଳେ କିଛି ଗୋଟେ ବିଡା ବନ୍ଧା ହୋଇ ପଡିଥିବାର ଅସ୍ପଷ୍ଟ ଆଲୋକରେ ମୁଁ ଆବିଷ୍କାର କଲି । ଯାଉଥିବା ଶୁଭକାର୍ଯ୍ୟରେ ବିଳମ୍ବ ନକରି ଅଗତ୍ୟା ସେଇଟିକୁ ଉଠାଇ ପିନ୍ଧିଥିବା କ୍ଷୁଦ୍ରବସ୍ତ୍ରଟିରେ ଅଣ୍ଟାରେ ଖୋସି ନେଇ ଆଗକୁ ମାଡିଯିବାକୁ ବାଧ୍ୟହେଲି । ଶୌଚ ସାରି ଫେରିବା ବେଳକୁ ସେହି ସ୍ଥାନରୁ ପାଇଥିବା ଜିନିଷଟି କଥା ମନେପଡିଲା । ଅତି ସନ୍ତର୍ପଣ ସହକାରେ ବିଡାଟିକୁ ଖୋଲି ଦେଖୁ ଦେଖୁ ମୁଁ ବାଡିପଟ ଫାଟକ ଆଡକୁ ଧୀରେ ଧୀରେ ଅଗ୍ରସର ହେଉଥାଏ । ଏ କଣ ? ବିଡାଏ ଟଙ୍କା ! ତା’ଭିତରେ ପାଞ୍ଚ ଟଙ୍କିଆ ଠାରୁ ପାଞ୍ଚଶହ ଟଙ୍କିଆ ପର୍ଯ୍ୟନ୍ତ ଭାରତୀୟ ନୋଟ ଅଛି । ହଠାତ ତା’ମଧ୍ୟରୁ ଚିଠିଟିଏ ପାଇ ମୋର ଜିଜ୍ଞାସା ଆହୁର ବଢିଗଲା । ପ୍ରତ୍ୟୁଷର ସମ୍ୟକ ଆଲୋକରେ ଚିଠିଟିକୁ ପଢିବାକୁ ଆରମ୍ଭ କଲି ।


ଦୁଃଖୀ ଭାଇଟିଏ ତା’ର ଦୁଃଖିନୀ ଭଉଣୀକୁ ଲେଖିଛି –


“ସୁମିଲୋ, ମୋତେ ଭୁଲ ବୁଝିବୁନି । ମୁଁ ସବୁ ଶୁଣିଲିଣି, ବାକିଆ ଯୌତୁକ ଟଙ୍କା ପାଇଁ ତୋ ଶାଶୁଘର ଲୋକେ ତୋତେ ବହୁତ ନିର୍ଯ୍ୟାତନା ଦେଉଛନ୍ତି । ଏଠି ଆମେ ଭାଇ ଭଉଣୀ ଦୁହେଁ ଜ୍ଵରରେ ପଡି ଅନେକ ଖର୍ଚ୍ଚାନ୍ତ ହୋଇସାରିଲୁଣି । ଘରେ ଆମର ଦିନେ ଚୁଲି ଜଳିଲେ ଦି ଦିନ ଜଳୁ ନଥିଲା । ଅଭାବରେ ପଡି ଗତ ସାବିତ୍ରୀ ଆଉ ରଜ ପରବରେ ତୋ ଘରକୁ କିଛି ଭାର-ଭୂରା ନେଇକି ଯାଇପାରିନି । ଏବେ ମାସେ ହେଲା କାମକୁ ଯିବାରୁ ଏତିକି ପଇସା ଯୋଗାଡକରି ରାଜୁ ମଉସା ହାତରେ ପଠାଉଛି । ସିଏ ତମ ଗାଁ ଆଡେ କୋଳି ଆଚାର ବିକିବାକୁ ଯାଉଛନ୍ତି । ସେ ତମ ଘରକୁ ଯାଇ ତୋତେ ଦେଇଦେବେ । ଏସବୁ ତାଙ୍କୁ କିଛି କହିବୁନି । ତୋ ଶଶୁରଙ୍କୁ ବୁଝେଇକି ଦେଇଦେବୁ । ତୁ ତ ସେଦିନ ଦେଖିଛୁ, ଜ୍ଵାଇଁଙ୍କର ଦୋଳପୂର୍ଣ୍ଣିମା ଡ୍ରେସ ମନକୁ ଆସିଲାନି ବୋଲି ମୋତେ କେମିତି ଧିକ୍କାର କରି ଘରୁ ତଡିଲେ । ତେଣୁ ଆଜି ମୋର ଯିବାକୁ ସାହସ ହେଲାନି । ମୋ ସୁନା ଭଉଣୀଟା ପରା ଦୁଃଖ କରିବୁନି । ଆମେତ ଦୁଃଖୀଲୋକ, ସହଜେ ବାପା ମାଆ ନାହାଁନ୍ତି । ସବୁ ସହିଯିବୁରେ ମାଆ । (ଇତି) ତୋର ହତଭାଗା ଭାଇ –ମଙ୍ଗୁଳି


ଚିଠି ପଢିବା ଭିତରେ ମୁଁ ମୋର ଅସ୍ତିତ୍ଵ ଏକ ରକମ ହଜାଇ ସାରିଥିଲି । ହଠାତ ନଜର ପଡିଲା, ସେହି ରାସ୍ତାରେ ଜଣେ ବୃଦ୍ଧ, ବୟସ ପ୍ରାୟ ୬୦ ରୁ ଉର୍ଦ୍ଧ, କିଛି ଖୋଜି ଖୋଜି ବ୍ୟସ୍ତ ବିବ୍ରତ ଭାବରେ ଦଉଡିଛନ୍ତି । ନିଜକୁ ଆଉ ସ୍ଥିର ରଖିପାରିଲିନି । ପଚାରିଲି – “କଣ ହେଇଛି ମଉସା” ? – “ବାବୁ ଟଙ୍କା ହଜେଇଦେଲି” । ବୃଦ୍ଧଙ୍କ ଅସହାୟତାକୁ ଉପହାସ ନକରି ପଚାରିଲି – “କେତେ ଟଙ୍କା ମଉସା” ? ଉତ୍ତର ଆସିଲା - “ବାବୁ ମୁଁ ଜାଣିନି, ବିଚରା ଗରିବ ପିଲାଟା ବହୁ କଷ୍ଟରେ ଯୋଗାଡ କରି ତା’ ହତଭାଗିନୀ ଭଉଣୀକୁ ଦେଇଦେବାକୁ କହିଥିଲା... ମୁଁ ଚାଣ୍ଡାଳ ହଜେଇ ଦେଇଛି” । ଦେଖିଲ ମଉସାଏଇ ଥଳି କି ? ଆପେ ଆପେ ମୋ ହାତ ବୃଦ୍ଧଙ୍କ ଆଡକୁ ଲମ୍ବିଗଲା । - “ହଁ ହଁ ବାପା, ଏଇ ଥଳିଟି । ବନ୍ଧ ଭାଙ୍ଗିଲାପରି ସଂସାରଯାକର ଆଶିଷ ବୃଦ୍ଧଙ୍କ ମୁହଁରୁ ବାହାରି ଆସୁଥାଏ । ବାଧାଦେଇ କହିଲି – ‘ମଉସା, ସବୁ ଇଶ୍ଵରଙ୍କ ଇଚ୍ଛା, ଆମେ ନିମିତ୍ତ ମାତ୍ର” । ବିଶେଷ କଥାହେଲା ଏହା ଭିତରେ ଥିବା ଚିଠିଟି ମୋତେ ଏଠି ଅଟକାଇ ରଖିଛି, ତେଣୁ ଆପଣଙ୍କ ସହିତ ସାକ୍ଷାତ ହେଲା, ନଚେତ କିଛି ଅଘଟଣ ନିଶୟ ହୋଇଯାଇଥାନ୍ତା । ଏ ମହତ କାର୍ଯ୍ୟପାଇଁ ଇଶ୍ଵର ମତେ ହିଁ ବାଛିଛନ୍ତି, ଏହା ଅତ୍ୟନ୍ତ ଖୁସିର ବିଷୟ । ଆଶୀର୍ବାଦ କରି ବୃଦ୍ଧ ଜଣଙ୍କ ଖୁସି ମନରେ ନିଜ ଗନ୍ତବ୍ୟପଥରେ ଚାଲିଗଲେ । ଘରକୁଫେରି ନିତ୍ୟକର୍ମ ସାରି କଲେଜ ଯିବାପାଇଁ ବାହାରିବା ବେଳେ ସେଇ ଚିରାଚରିତ ଢାଞ୍ଚାରେ ମୋ ବୋଉ ପକେଟଖର୍ଚ୍ଚ ପାଇଁ ଆଣି ହାତରେ ଦେଲା । ବୋଉ ହାତରୁ ଦଶଟଙ୍କା ଧରୁ ଧରୁ ମନରେ ଅନେକ ବିଭ୍ରାନ୍ତିକର ଭାବନା ଗୁଡାକ ଉଙ୍କି ମାରୁଥିଲା । “ଶଳା... ସେଠିତ ଦାନୀ ଦେଖେଇ ହୋଇ ପାଇଥିବା ଟଙ୍କା ଦେଇଦେଲୁ, ଏ ଦଶଟଙ୍କାରେ ନା ଦ୍ଵିପ୍ରହର ଖାଇବା ହେଉଛି, ନା କ୍ଳାସ ଶୀଘ୍ର ସରିଲେ ବସଭଡା ଦେଇ ଘରକୁ ଆସି ହେଉଛି । ଏ ଯାଏଁ କଲେଜ ବ୍ୟାଗଟିଏ ଅଭାବରୁ କିଣି ହେଉନି ଯେ, ହାତରେ ବହି ଖାତା ଧରି କଲେଜ ଯିବାକୁ ପଡୁଛି ।


“କିରେ ଯାଇନୁ, ଏଠି ଠିଆ ହୋଇ କଣ ଭାବୁଛୁ” ? ବୋଉର ଏକଥା ଶୁଣି ନିଜକୁ ହଠାତ ପ୍ରକୃସ୍ଥିତ କରିନେଲି । ପାଦ ଗଣିଲାଭଳି ଅଗ୍ରସର ହେଉ ହେଉ ଭାବିଲି, “ସେ ପଇସା ସେ ବୃଦ୍ଧଙ୍କୁ ନଫେରେଇ ସେଥିରେ କଲେଜ-ବ୍ୟାଗ, ଡିକ୍ସିନାରୀ ଅବଶ୍ୟ କିଣି ପାରିଥାନ୍ତି, ମାତ୍ର ଚିଠିଟି ପଢି ନିଜକୁ କ୍ଷମା କରିପାରିଥାନ୍ତିତ” ? ଧେତ... କି ଅଯୋଗ୍ୟ ବିଚାର ମନକୁ କୁଆଡୁ ଆସିଲା ? ମନେ ମନେ ଭଗବାନଙ୍କୁ କ୍ଷମାମାଗି ରେଳ-ଷ୍ଟେସନ ଆଡକୁ ମୁହାଁଇଲି । ହଠାତ ଶୁଭିଲା ପୂର୍ବବର୍ତ୍ତୀ ଷ୍ଟେସନ କଲୁପଡାଘାଟରୁ ଟ୍ରେନ ଛାଡିବାର ଶବ୍ଦ । ଆରମ୍ଭ ହୋଇଗଲା ମାର୍ଚିଙ୍ଗ ଚାଲି, ଏକ ରକମ ପ୍ରତିଯୋଗିତା ଟ୍ରେନ ଆଉ ମୋ ଭିତରେ । ସତେ ଯେମିତି କରିଥିବା ସୁକାର୍ଯ୍ୟରୁ ମିଳିଥିବା ଶକ୍ତି ମୋତେ ଟ୍ରେନ ଠାରୁ ଗୋଟେ ପାଦ ଆଗକୁ ନେଇଯାଉଛି । ଟ୍ରେନଟି ଷ୍ଟେସନ ଭିତରେ ପ୍ରବେଶ କରିବା ପୂର୍ବରୁ ମୁଁ ପ୍ଲାଟଫର୍ମରେ ପହଞ୍ଚି ସାରିଥିଲି । ପୂର୍ବ ଷ୍ଟେସନରୁ ଆସିଥିବା ମୋର ସହପାଠୀ ବନ୍ଧୁମାନେ ମୋ ନିମନ୍ତେ ଜାଗାଟିଏ ରଖି ମୋତେ ହାତଠାରି ଡାକୁଥିଲେ, ତୁରନ୍ତ ବସିଗଲି । କାଳବିଳମ୍ବ ନକରି ଟ୍ରେନଟି ଛାଡିବାକୁ ଆରମ୍ବ କଲା ସତ, କିନ୍ତୁ ମୋ ମନକୁ ଆନ୍ଦୋଳିତ କରୁଥିଲା ସେଇ ଚିଠିର କରୁଣ କାହାଣୀ । ବାପା-ମାଆ ଛେଉଣ୍ଡ ଭାଇ-ଭଉଣୀଙ୍କ ଦୁଃଖଦ ଘଟଣା ସମସ୍ତଙ୍କ ଅଜାଣତରେ ମୋ ପିଛା ଛାଡୁନଥାଏ, ବିଦାରି ଦେଉଥାଏ ମୋ ହୃଦୟର ନିଭୃତ ତନ୍ତ୍ରୀ ସମୂହକୁ । ଅଜାଣତରେ ପାଟିରୁ ଉଚ୍ଚାରଣ ହୋଇପଡିଥିଲା “ସୁମିଲୋ...” ।

Post a Comment

0 Comments